ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମନଗରୀରେ ପୁର୍ନବିକଶିତ ଅଯୋଧ୍ୟା ଧାମ ରେଳଷ୍ଟେସନର ଉଦ୍ଘାଟନ କରିଛନ୍ତି। ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କରାଯାଇଛି। ଅଯୋଧ୍ୟା ଧାମ ଷ୍ଟେସନରେ ଗ୍ରୀନ୍ ସିଗ୍ନାଲ ଦେଖାଇ ଦୁଇ ଅମୃତ ଭାରତ ଟ୍ରେନ ଓ ୬ଟି ବନ୍ଦେ ଭାରତ ଟ୍ରେନ ଗଡିଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଅମୃତ ଭାରତ ଟ୍ରେନରେ ପିଲାମାନଙ୍କୁ ଭେଟିଥିଲେ। ଏହି ସମୟରେ ସେ ଅନେକ ପିଲାଙ୍କ ସହ ଦୀର୍ଘ ସମୟ ଧରି କଥା ହୋଇଥିଲେ। ଏହି ରେଳ ଷ୍ଟେସନରେ ୨୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ଏହି ରେଳଷ୍ଟେସନ ସମସ୍ତଙ୍କ ପାଇଁ ଉର୍ଦ୍ଦିଷ୍ଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଅଯୋଧ୍ୟା ଧାମ ରେଳ ଷ୍ଟେସନର ଉଦଘାଟନ ପୂର୍ବରୁ ଏକ ବିଶାଳ ରୋଡ ଶୋ’ କରିଥିଲେ ପ୍ରଧାନମନ୍ତ୍ରୀ। ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେ ବିମାନବନ୍ଦରର ଗେଟ୍ ନମ୍ବର-୪ରି ବାହାରି ରୋଡ ଶୋ’ କରି ଅଯୋଧ୍ୟାଧାମ ଷ୍ଟେସନରେ ପହଞ୍ଚିଥିଲେ। ଏହି ସମୟରେ ସାଧାରଣ ଲୋକ ମୋଦିଙ୍କ ଉପରେ ଫୁଲ ବର୍ଷା କରିଥିଲେ। ସେହିପରି ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ଅଯୋଧ୍ୟା ଆନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହି ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି। ଅଯୋଧ୍ୟାର ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ଜାତୀୟ ରାଜପଥ ସହ ୧୬ ହଜାର କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଥିସହ ମୋଟ ୨ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରାଯିବ। ମୋଦୀଙ୍କ ସ୍ୱାଗତ ପାଇଁ ସହରକୁ ବିଭିନ୍ନ ଫୁଲରେ ସଜା ଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅଯୋଧ୍ୟା ପାଇଁ ମୋଟ ୧୫ ହଜାର ୭୦୦ କୋଟିର ବିଭିନ୍ନ ଯୋଜନା ଘୋଷଣା କରିବେ ପ୍ରଧାନମନ୍ତ୍ରୀ। ତେବେ ରୋଡ ଶୋ’ ସହ ଦେଢ ଲକ୍ଷ ଲୋକଙ୍କୁ ନେଇ ଏକ ସଭାର ଆୟୋଜନ ମଧ୍ୟ କରାଯାଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..