ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଲ୍କିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ଦୁଷ୍କର୍ମ କରିବା ଓ ତାଙ୍କ ପରିବାରର ୭ ଜଣ ଲୋକଙ୍କୁ ହତ୍ୟା କରି ଜେଲ୍ଦଣ୍ଡ ଭୋଗୁଥିବା ୧୧ଜଣ ଦୋଷୀଙ୍କୁ ମୁକ୍ତ କରିବା ଲାଗି ଗୁଜରାଟ ସରକାର ଦେଇଥିବା ଆଦେଶକୁ ଆଜି ସୁପ୍ରିମ୍ କୋର୍ଟ ରଦ୍ଦ କରିଛନ୍ତି। ସୂଚନାଯୋଗ୍ୟ, ୨୦୦୨ରେ ଗୁଜରାଟର ଗୋଧ୍ରା ଦଙ୍ଗା ସମୟରେ ସେ ୧୧ ବ୍ୟକ୍ତି ଏଭଳି ଅପରାଧରେ ସମ୍ପୃକ୍ତ ଥିଲେ। ସୁପ୍ରିମ୍ କୋର୍ଟ ରାୟ ଦେଇଛନ୍ତି ଯେ, ଏଭଳି ଆଦେଶ ଦେବା ଲାଗି ଗୁଜରାଟ ସରକାରଙ୍କ କର୍ତ୍ତୃତ୍ବ ନାହିଁ। ରାଜ୍ୟ ସରାକାରଙ୍କ ଉପରୋକ୍ତ ଆଦେଶକୁ ଅଦାଲତ ‘ଜାଲିଆତି କାର୍ଯ୍ୟ’ ବୋଲି କରିଛନ୍ତି। ରାୟ ଶୁଣାଇ ବିଚାରପତି ବି. ଭି. ନାଗରନାଥ ଓ ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଦଣ୍ଡାଦେଶ ସମୟ ଅବ୍ୟବହିତ ପୂର୍ବରୁ ୧୧ ଦୋଷୀଙ୍କୁ ମୁକ୍ତ କରାଯିବା ଆଦେଶକୁ ଚାଲେଞ୍ଜ୍ କରି ବିଲ୍କିସ୍ ବାନୋ ଫାଇଲ୍ କରିଥିବା ପିଟିସନ୍ ବୈଧ ଅଟେ। ତେଣୁ, ଦୋଷୀମାନେ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରନ୍ତୁ। ସୂଚନାଯୋଗ୍ୟ, ବିଲ୍କିସ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୧୫ ବର୍ଷ ଜେଲ୍ରେ ଥିବା ଉକ୍ତ ୧୧ ଅପରାଧୀଙ୍କୁ ୨୦୨୨ ଅଗଷ୍ଟ ୧୫ ତାରିଖ ଦିନ ମୁକ୍ତ କରାଯାଇଥିଲା। ସେମାନଙ୍କ ବୟସ ଓ ଆଚାରବ୍ୟବହାରରେ ସୁଧାର ଆସିଛି ଦର୍ଶାଇ ଗୁଜରାଟ ସରକାର ସେମାନଙ୍କୁ ମୁକ୍ତ କରାଇଥିଲେ। ୨୦୦୨, ମାର୍ଚ ୩ ତାରିଖରେ ଗୁଜରାଟର ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣା ପରେ ପରେ ରାଜ୍ୟରେ ଦଙ୍ଗା ବ୍ୟାପିଥିଲା। ଦଙ୍ଗାକାରୀମାନଙ୍କ ହାବୁଡ଼କରୁ ଖସି ପଳାଉଥିବା ବିଲ୍କିସ୍ ବାନୋଙ୍କୁ ସେତେବେଳେ ୨୧ ବର୍ଷ ହୋଇଥିଲା ଏବଂ ତାଙ୍କ ପେଟରେ ଥିଲା ୫ ମାସର ଗର୍ଭ। ଦଙ୍ଗାକାରୀମାନେ ତାଙ୍କ ସହିତ ଦୁଷ୍କର୍ମ କରିବା ସହିତ ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ।






More Stories
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..
ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ……
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……