ରିପୋର୍ଟ କାର୍ଡ / ଭୁବନେଶ୍ୱର / କଳାହାଣ୍ଡି
ଗୋଟିଏ ଦିନରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ କଲେଜ ପ୍ରିନ୍ସପାଲ ଆଉ ଜଣେ ପ୍ରଧାନଶିକ୍ଷକ | ଖୋର୍ଦ୍ଧା ଜିଲ୍ଲା କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ସେହି କଲେଜର ସହକାରୀ ଲାଇବ୍ରେରିଆନ ଧୀରଜ ବଡ଼ଜେନାଙ୍କ ଠାରୁ ଶୁକ୍ରବାର ସନ୍ଧ୍ୟା ବେଳେ ନିଜ ଗୁରୁଜାଙ୍ଗ ସ୍ଥିତ ବାସଭବନରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ପହଞ୍ଚିଥିଲା | ଭିଜିଲାନ୍ସ ଅଧିକାରୀମାନେ ଅଧ୍ୟକ୍ଷା ବିଦ୍ୟୁତ୍ପ୍ରଭା ଜେନାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏହା ସହିତ ତାଙ୍କ ବାସଭବନ ଓ କଲେଜରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ବିଦ୍ୟୁତ୍ପ୍ରଭା ଜେନାଙ୍କୁ ଭିଜିଲାନ୍ସର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟକୁ ନିଆଯାଇଛି। ଧୀରଜଙ୍କ ପତ୍ନୀ ଦୀପ୍ତିରାଣୀଙ୍କ ଅଭିଯୋଗ କ୍ରମେ ଭିଜିଲାନ୍ସ ଜାଲ ବିଛାଇଥିଲା ଓ ଅଧ୍ୟକ୍ଷାଙ୍କୁ ଧରିଥିଲା। ସେହିପରି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଅଧମୁଣ୍ଡା ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଅଗସ୍ଥି ସାହୁ ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କାବୁକରିଥିଲା | ଅପରାହ୍ନରେ ପ୍ରଧାନଶିକ୍ଷକ ଅଗସ୍ଥି ସାହୁ ସ୍କୁଲ ଅଫିସରେ ଠିକାଦାର ଯୁଧିଷ୍ଠିର ଭଗତଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ପ୍ରଧାନ ଶିକ୍ଷକଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା । ୫ଟି ସ୍କୁଲ ରୂପାନ୍ତରୀକରଣ ବାବଦରେ ଚୂଡ଼ାନ୍ତ ବିଲ୍ କରିଦେବାକୁ ଠିକାଦାର ଯୁଧିଷ୍ଠିର ଭଗତ ବାରମ୍ବାର ପ୍ରଧାନଶିକ୍ଷକଙ୍କୁ କହିଥିଲେ ହେଁ ସେ ବିଳମ୍ବ କରୁଥିଲେ। ସେ ଲାଞ୍ଚ ମାଗୁଥିଲେ। ଅତିଷ୍ଠ ହୋଇ ଯୁଧିଷ୍ଠିର ଭବାନୀପାଟଣା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଅଧାମୁଣ୍ଡା ସ୍କୁଲରେ ପ୍ରଧାନଶିକ୍ଷକ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ତାଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ କରାଯାଉଛି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..