Report Card Odisha

| Daily Odia News

ରାସ୍ତାରେ ବାଲି ପରିବହନ ଉପରେ କଟକଣା…..

ରିପୋର୍ଟ କାର୍ଡ / କଟକ

ନଈରୁ ବାଲି ଉଠାଇବା ଉପରେ ରହିଥିବା ଅନ୍ତରୀଣ ଅଙ୍କୁଶ ହଟିଛି। ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ବନ୍ଦ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ଜାରି ରହିଥିବା ଅଙ୍କୁଶ ହଟାଇଛନ୍ତି। ପରିବେଶ ସୁରକ୍ଷା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ରାସ୍ତାରେ ‌ବାଲି ପରିବହନ କରାଯାଇ ପାରିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହି ସମୟରେ ସ୍କୁଲ କଲେଜକୁ ପିଲାମାନେ ଓ ଜନସାଧାରଣ କାର୍ଯ୍ୟସ୍ଥଳକୁ ଯା’ଆସ କରୁଥିବା ବେଳେ ରାସ୍ତାରେ ବାଲି ପରିବହନ କରୁଥିବା ଗାଡ଼ି ଚଳାଚଳ ଉପରେ ସଂପୂର୍ଣ୍ଣ ଅଙ୍କୁଶ ଜାରି ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଲିଜଧାରୀମାନେ ମେସିନ ସାହାଯ୍ୟରେ ମନଇଚ୍ଛା ନଦୀ ଶଯ୍ୟାରୁ ବାଲି ଉତ୍ତୋଳନ କରି ପାରିବେ ନାହିଁ ବୋଲି
ମଧ୍ୟ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ୨୦୨୩ ଡିସେମ୍ବର ୨୧ରେ ଜାରି ଗାଇଡ଼ଲାଇନ ଅନୁସାରେ କେବଳ ଅସାଧାରଣ ପରିସ୍ଥିତିରେ ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ ପାଇଁ ଅନୁମତି ଦିଆଯାଇ ପାରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଯଦି ଲିଜ ମଞ୍ଜୁର କରାଯାଇଥିବା ସ୍ଥାନରେ ବିନା ମେସିନରେ ବାଲି ଉତ୍ତୋଳନ ସମ୍ଭବ ନୁହେଁ ବୋଲି ସ୍ପ‌ଷ୍ଟ ହୁଏ ତେବେ ଏଭଳି କ୍ଷେତ୍ରରେ ମେସିନ ବ୍ୟବହାର ପାଇଁ ସରକାରଙ୍କ ନୀତି ଅନୁସାରେ ଅନୁମତି ଦିଆଯାଇ ପାରିବ। କିନ୍ତୁ ମେସିନ ବ୍ୟବହାର ଅନୁମତି ପ୍ରସଂଗ ପରିବେଶ ମଞ୍ଜୁରୀ ସର୍ତ୍ତାବଳୀ‌ରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ।

Breaking News