Report Card Odisha

| Daily Odia News

ପଂଚାୟତ ସମିତି ସହ ଜଡ଼ିତ ଅଧିକାରୀମାନଙ୍କ ଆର୍ଥିକ କ୍ଷମତା ବୃଦ୍ଧି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ନିଷ୍ପତ୍ତି ଅନୁସାରେ ପଂଚାୟତ, ପଂଚାୟତ ସମିତି ଓ ଜିଲ୍ଲା ପରିଷଦସ୍ତରରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ପଂଚାୟତ ସମିତି ହିସାବ ପଦ୍ଧତି ନିୟମ-୨୦୦୨ରେ ବିଭିନ୍ନ ବୈଷୟିକ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ବୈଷୟିକ ମଞ୍ଜୁରୀ ଓ ପ୍ରଶାସନିକ ଅନୁମୋଦନ କ୍ଷମତା ପ୍ରଦାନ କରାଯାଇଛି । ଓଡ଼ିଶା ପୂର୍ତ୍ତ ବିଭାଗ ସଂହିତାରେ କରାଯାଇଥିବା ସଂଶୋଧନ ଓ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ରୋଜଗାର ଯୋଜନାରେ ଥିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସୁଗମ ତଥା ଠିକ୍ ସମୟରେ କାର୍ଯ୍ୟକାରୀ କରିବା ନିମନ୍ତେ ବିଭିନ୍ନ ବୈଷୟିକ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ଆର୍ଥିକ ମଞ୍ଜୁରୀ କ୍ଷମତା ବୃଦ୍ଧି ହୋଇଛି । ଏହି ପ୍ରସ୍ତାବ ଅନୁସାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପର ବୈଷୟିକ ମଞ୍ଜୁରୀ କ୍ଷମତା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ସେହିପରି ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ(ପଂଚାୟତିରାଜ)ଙ୍କୁ ଯଥାକ୍ରମେ ୧କୋଟି ଓ ୪କୋଟି ଟଙ୍କାର ବୈଷୟିକ ମଞ୍ଜୁରୀ କ୍ଷମତା ଏବଂ ୪କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ବୈଷୟିକ ମଞ୍ଜୁରୀ କ୍ଷମତା ମୁଖ୍ୟଯନ୍ତ୍ରୀଙ୍କ ଉପରେ ନ୍ୟସ୍ତ ହୋଇଛି । ଏହାବ୍ୟତୀତ ପଂଚାୟତିରାଜ ବିଭାଗ ଦ୍ୱାରା କରାଯାଉଥିବା ପ୍ରକଳ୍ପଗୁଡ଼ିକରେ ଜିଲ୍ଲାପାଳମାନଙ୍କର ପ୍ରଶାସନିକ ଅନୁମୋଦନ କ୍ଷମତା ୫୦ଲକ୍ଷରୁ ୧କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ପଂଚାୟତିରାଜ ବିଭାଗ ତରଫରୁ ହେଉଥିବା ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିପରି ପରମ୍ପରାଗତ କୀର୍ତ୍ତିରାଜି ଓ ପର୍ଯ୍ୟଟନସ୍ଥଳୀ ସମନ୍ୱିତ ଉନ୍ନୟନ(ଆଇଡିଏଚଏମଟିଡି) ଯୋଜନାକୁ ରାଜ୍ୟ ସରକାର ୨୦୨୧-୨୨ରେ ଆରମ୍ଭ କରିଥିଲେ । ଏହି ଯୋଜନାରେ ୧୫୯ଟି ପ୍ରକଳ୍ପ ନିଆଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧୪୧୨.୭୯କୋଟି ଟଙ୍କା । ଏହି ଯୋଜନାର କାର୍ଯ୍ୟକାରିତା ୨୦୨୦-୨୧ରୁ ୨୦୨୬-୨୭କୁ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ସେହିପରି ଓଡ଼ିଆ ଭାଷା,ସାହିତ୍ୟ,କଳା,ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ,ପରିଚାଳନା ନିମନ୍ତେ କାର୍ଯ୍ୟରତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କ୍ୟାଡ଼ର ପୁର୍ନଗଠନ ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ସଂସ୍କୃତି ଉନ୍ନୟନ ସେବା ନାଁରେ ଏକ ନୂଆ କ୍ୟାଡର ସୃଷ୍ଟି କରାଯାଇ ଆବଶ୍ୟକୀୟ ସଂସ୍କୃତି ଉନ୍ନୟନ ଅଧିକାରୀ, ସଂସ୍କୃତି ସହ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ଅତିରିକ୍ତ ନିର୍ଦ୍ଦେଶକ ଆଦି ପଦବୀ ସୃଷ୍ଟି ହୋଇଛି । ଏହାଦ୍ୱାରା ପ୍ରତିଭାଧାରୀ ମାନବସମ୍ବଳଙ୍କ ଆବଶ୍ୟକତାକୁ ପୂରଣ କରାଯାଇପାରିବ ଓ ରାଜ୍ୟରେ କଳା,ଭାସ୍କର୍ଯ୍ୟ ଓ ଐତିହ୍ୟଗୁଡ଼ିକର ଉତ୍ତମ ରୂପେ ପରିଚାଳନା ହୋଇପାରିବ । ଏଥିପାଇଁ ବାର୍ଷିକ ଆନୁମାନିକ ୨.୧୭କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରାଯିବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି | ବୈଠକରେ ବୁଣାକାର ଓ କାରିଗର ସହାୟତା ଯୋଜନାରେ ହିତାଧିକାରୀମାନଙ୍କୁ ୨ ହଜାର ପରିବର୍ତ୍ତେ ଅଢ଼େଇ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଣିକି ୪୦ରୁ ୮୦ ବର୍ଷ ବୟସ ବୁଣାକାରଙ୍କୁ ୨ ହଜାର ଓ ୮୦ ବର୍ଷରୁ ଅଧିକ ବୟସର ବୁଣାକାରଙ୍କୁ ମିଳିବ ୨ ହଜାର ୫୦୦ ଟଙ୍କା। ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ମିଳିବ ୟୁନିଫର୍ମ ସହାୟତା, ୭୦ ଲକ୍ଷ ମହିଳାଙ୍କୁ ୧ ହଜାର ଲେଖାଏଁ ଦିଆଯିବ ଓ ଏକଜିକ୍ୟୁଟିଭ ମେମ୍ବର ବ୍ଲେଜର ପାଇଁ ପାଇବେ ଅଧିକ ୨ ହଜାର ଟଙ୍କା। ଆଇଟିଆଇ, ପଲିଟେକନିକ ଶିକ୍ଷାନୁଷ୍ଠାନରେ ଦୁଇଟି କ୍ୟାଡର ରୁଲର ସଂଶୋଧନକୁ ମଞ୍ଜୁରୀ।  ନୂଆ ଓ ସ୍କଲାରସିପକୁ କ୍ୟାବିନେଟ ମଞ୍ଜୁରୀ – ବାର୍ଷିକ ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ବୃତ୍ତି ମିଳିବ, ଏସସି/ଏସଟି ଓ ନିର୍ମାଣ ଶ୍ରମିକଙ୍କ ପୁଅଙ୍କୁ ୧୦ ହଜାର ଓ ଝିଅଙ୍କୁ ୧୧ ହଜାର ମିଳିବ।  ନିୟମିତ ହେବେ ବହୁଭାଷୀ ଶିକ୍ଷା ସହାୟକ। ୨୧୩ରୁ ୭୩ ଜଣଙ୍କ ବୟସ ସୀମା କୋହଳ, ଅବଶିଷ୍ଟ ଶିକ୍ଷା ସହାୟକଙ୍କୁ ଯୋଗ୍ୟତା ହାସଲ ପାଇଁ ୩ ବର୍ଷ ସମୟ। ପୁରୀରେ କୁଲତା ସମାଜର ଧର୍ମଶାଳା ପାଇଁ ବାଲୁଖଣ୍ଡରେ ୧ ଏକର ଜମି ଯୋଗାଇ ଦିଆଯିବ।  ସଂସ୍କୃତି ବିଭାଗରେ ନୂଆ ପଦବୀକୁ ମଞ୍ଜୁରୀ। ରାଜ୍ୟର ସବୁ ଐତିହ୍ୟ ଓ କିର୍ତ୍ତୀରାଜିର ସୌନ୍ଦର୍ଯ୍ୟକାରଣ ହେବ। ୧୫୯ଟି ପ୍ରକଳ୍ପର ରୂପାନ୍ତରଣ ପ୍ରସ୍ତାବକୁ ମଞ୍ଜୁରୀ, ଖର୍ଚ୍ଚ ହେବ ୨ ହଜାର ୬୨ କୋଟି ୧୯ ଲକ୍ଷ ଟଙ୍କା।

Breaking News