ରିପୋର୍ଟ କାର୍ଡ / କଟକ
ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ସୁନା ଗହଣା ଓ ଅନ୍ୟ ସଂପତ୍ତିର ତାଲିକା ପ୍ରସ୍ତୁତି କାର୍ଯ୍ୟ ତଦାରଖ ପାଇଁ ଯେଉଁ ଉଚ୍ଚସ୍ତରୀୟ କମିଟି ଗଠନ ହେବ, ତାହାର ଅଧ୍ୟକ୍ଷଙ୍କୁ ୪ ସପ୍ତାହ ଭିତରେ ରାଜ୍ୟ ସରକାର ନିଯୁକ୍ତି ଦେବେ। ୪ ସପ୍ତାହ ପରେ ମାମଲାର ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି। ଶୁକ୍ରବାର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଜଣାପଡିଥିଲା ଯେ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟ ୨୦୨୩ ସେପ୍ଟେମ୍ବର ୨୯ରେ ନିର୍ଦ୍ଦେଶ ଦେଇଥିଲେ ବି ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ। ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ୬୦ ଦିନ ଭିତରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା କଥା। କିନ୍ତୁ ତାହା ହୋଇପାରି ନାହିଁ। ଅନ୍ୟପଟେ ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ଦର୍ଶାଯାଇଥିଲା ଯେ ଫେବ୍ରୁଆରି ୧୨ରେ ଉଚ୍ଚସ୍ତରୀୟ କମିଟି ଗଠନ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା ଦର୍ଶାଇଥିଲେ ଯେ ୪ ସପ୍ତାହ ଭିତରେ ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯିବ। ସୁପ୍ରିମକୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯିବ। ସରକାରଙ୍କ ପ୍ରତିଶ୍ରୁତିକୁ ବିଚାରକୁ ନେଇ ହାଇକୋର୍ଟ ଏହି ମାମଲାର ଶୁଣାଣି ଚାରି ସପ୍ତାହ ପରେ ଧାର୍ଯ୍ୟ କରିଛନ୍ତି। ବିଜେପି ନେତା ସମୀର ମହାନ୍ତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଓ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..