Report Card Odisha

| Daily Odia News

ରାଜ୍ୟକୁ କେନ୍ଦ୍ରର ତାଗିଦ୍,କାହିଁକି ଅସ୍ଥାୟୀ ପୋଲିସ ଡିଜି ନିଯୁକ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଯୋଗ୍ୟ ପୋଲିସ ଅଫିସର ଥାଇ ମଧ୍ୟ ରାଜ୍ୟ ସରକାର କାହିଁକି ପୂର୍ଣ୍ଣକାଳୀନ ପୋଲିସ ଡିଜି ନିଯୁକ୍ତି ଦେଉନାହାନ୍ତି ସେ ନେଇ କେନ୍ଦ୍ର ସରକାର ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କାହିଁକି ଅସ୍ଥାୟୀ ପୋଲିସ ଡିଜି ନିଯୁକ୍ତି ଦିଆଯାଇଛି ବୋଲି ଓଡ଼ିଶା ସରକାରଙ୍କୁ ଚିଠି ଲେଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରଶ୍ନ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବାରୁ କେନ୍ଦ୍ର ସରକାର ଏନେଇ ଓଡ଼ିଶା ସମେତ ମୋଟ ୭ଟି ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ତାଗିଦ୍ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତ ସପ୍ତାହରେ ଓଡ଼ିଶା ସମେତ ମୋଟ ୭ଟି ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଚିଠି ଲେଖି ଯୋଗ୍ୟ ଅଫିସର ଥିବା ସତ୍ତ୍ୱେ କାହିଁକି ସ୍ଥାୟୀ ଡିଜିପି ନିଯୁକ୍ତି ଦିଆଯାଉନି ବୋଲି ଜାଣିବାକୁ ଚାହିଁଛନ୍ତି । ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ଡିଜିପି ନିଯୁକ୍ତିକୁ ନେଇ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ରାୟକୁ ଦୃଷ୍ଟିରେ ରଖି ‘କାର୍ଯ୍ୟକାରୀ ଡିଜିପି’ ନିଯୁକ୍ତିରୁ ଦୂରେଇ ରହିବା ଉଚିତ୍ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟଗୁଡ଼ିକ ନିୟମିତ ଡିଜିପି ନିଯୁକ୍ତି ଅତିକମରେ ୨ବର୍ଷ ପାଇଁ ଦେବା ଜରୁରୀ । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡରେ ଏବେ ସ୍ଥାୟୀ ଡିଜିପି ବଦଳରେ ଦୀର୍ଘଦିନ ଧରି ଅସ୍ଥାୟୀ ଡିଜି ରହିଛନ୍ତି । ଡିଜିଙ୍କ ଅବସରର ଅତିକମରେ ୬ମାସ ପୂର୍ବରୁ ନୂଆ ଡିଜିପି ନିଯୁକ୍ତିକୁ ନେଇ ଲୋକସେବା ଆୟୋଗ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ କରିବାର ପ୍ରାବଧାନ ରହିଛି । ତେବେ ରାଜ୍ୟଗୁଡ଼ିକ ନିର୍ଦ୍ଧାରିତ ଫର୍ମାଟରେ ପ୍ରସ୍ତାବ ଦେଉନଥିବାରୁ ଲୋକସେବା ଆୟୋଗ କିଛି ପଦକ୍ଷେପ ନେଇପାରୁନାହାନ୍ତି କିମ୍ବା ସ୍ଥାୟୀ ପୋଲିସ ମୁଖିଆ ନିଯୁକ୍ତି ସମ୍ଭବପର ହେଉନଥିବା ଦର୍ଶାଯାଇଛି।

Breaking News