ରିପୋର୍ଟ କାର୍ଡ / ଭୁବନେଶ୍ୱର
ବରଗଡ଼ ଜିଲ୍ଲା ଗସ୍ତକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ଓ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଉଦଘାଟନ କରିଛନ୍ତି । ୧୦୬ କୋଟି ୬ ଲକ୍ଷ ଟଙ୍କା ବିନିମୟରେ ୧୨ ହଜାର ୬୮୨ ବର୍ଗ ମିଟରରେ ନିର୍ମାଣ ହୋଇଛି ଏହି ହସ୍ପିଟାଲ। ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜିଲ୍ଲାର ସବୁଜ ବିପ୍ଲବ ଆଣିବ ବୋଲି ଆଶା କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରୂପାନ୍ତରିତ ନୃସିଂହନାଥ ପୀଠର ମଧ୍ୟ ଲୋକାର୍ପଣ କରିଛନ୍ତି।ବିଜେପୁରର କନାପାଲିଠାରେ ବରଗଡ଼ ଜିଲ୍ଲାରେ ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ଏଥି ସହିତ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦେଇଛନ୍ତି। ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଗୌରବ ସ୍ୱଭାବ କବି ଗଙ୍ଗାଧର ମେହେର ଓ ମହାନ ସ୍ୱାଧୀନତା ସଂଗ୍ରାମୀ ମା’ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବରଗଡ଼ କଳାର ଭୂମି ଓ ସଂସ୍କୃତିର ଭୂମି । ଏ ଅଞ୍ଚଳର ବୁଣାକାରମାନେ ବିଶ୍ୱରେ ଓଡ଼ିଶାର ପରିଚୟକୁ ଉଜ୍ଜ୍ୱଳ କରିଛନ୍ତି। ନିକଟରେ ବୁଣାକାର ଓ କଳାକାର ମାନଙ୍କ ପେନସନ୍ ବୃଦ୍ଧି ସଂପର୍କରେ ସୂଚନା ଦେଇଥିଲେ। ଏବେ ସାରା ରାଜ୍ୟରେ ରୂପାନ୍ତର ପର୍ବ ଚାଲିଛି ବୋଲି କହି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ, ମା’ ସମଲେଇ ପ୍ରକଳ୍ପ ଭକ୍ତମାନଙ୍କ ପାଇଁ ସୁନ୍ଦର ଅନୁଭବ ଆଣିଛି ଏବଂ ଆଜି ଉଦ୍ଘାଟିତ ହୋଇଥିବା ରୂପାନ୍ତରିତ ପ୍ରସିଦ୍ଧ ନୃସିଂହନାଥ ପୀଠ ମଧ୍ୟ ଓଡ଼ିଶାର ଗୌରବକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଥିଲେ। ରାଜ୍ୟରେ ୫ଟି ଉପକ୍ରମରେ ଚାଲିଥିବା ରୂପାନ୍ତର କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଏହି ରୂପାନ୍ତର କାର୍ଯ୍ୟକ୍ରମରେ ହାଇସ୍କୁଲ ରୂପାନ୍ତରଣ ସଫଳତା ଅର୍ଜନ କରିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ୪ କୋଟି ଲୋକଙ୍କ ପାଇଁ ଆଶୀର୍ବାଦ ହୋଇଛି। ପରିବହନ ସେବାରେ ଲକ୍ଷ୍ମୀ ବସ୍ ଯୋଜନା ଗାଁରେ ଲୋକଙ୍କ ଜୀବନ ଧାରାକୁ ସହଜ କରିଛି। ବଡ ବଡ ଜଳସେଚନ ପ୍ରକଳ୍ପ ଠିକ୍ ସମୟରେ ଶେଷ ହେଉଛି। ଆଜି ଓଡିଶା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାରା ଦେଶକୁ ଖାଦ୍ୟ ଯୋଗାଉଛି। ଏଥିରେ ବରଗଡ଼ ଜିଲ୍ଲାର ଚାଷୀ ଭାଇମାନଙ୍କର ବହୁତ ବଡ଼ ଅବଦାନ ରହିଛି ବୋଲି ସେ କହିଥିଲେ। କ୍ରୀଡ଼ା କ୍ଷେତ୍ରରେ ଓଡିଶାର ସୁନାମ ବଢିଛି। ସେଥିରେ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କର ବିଶେଷ ଅବଦାନ ରହିଛି ବୋଲି ସେ କହିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରଗଡ଼ରେ କ୍ୟାନସର ଡାକ୍ତରଖାନା ପାଇଁ ମୁଁ କହିଥିଲି। ଆଜି ମୁଁ ତାହା ପୂରଣ କରିଛି। ପଶ୍ଚିମ ଓଡ଼ିଶାର ରୋଗୀମାନଙ୍କୁ ଏହା ଉତ୍ତମ ସେବା ଯୋଗାଇ ଦେବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ୫ଟି ଉପକ୍ରମରେ ସାରା ରାଜ୍ୟରେ ୧୧ଟି କ୍ୟାନସର ହସ୍ପିଟାଲ କରାଯାଉଛି। ଏଥିପାଇଁ ୧ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ।ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଜିଲ୍ଲାର ଚାଷୀମାନଙ୍କର ଜମିକୁ ପାଣି ଯୋଗାଇବା ଆରମ୍ଭ ହେଲା। ଏହି ପ୍ରକଳ୍ପ ଜରିଆରେ ଜିଲ୍ଲାର ୬୦ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ। ଜିଲ୍ଲାର ସୋହେଲା, ବିଜେପୁର, ବରପାଲି ଓ ଡୁଙ୍ଗୁରିପାଲି ବ୍ଲକର ଚାଷୀମାନେ ଏହା ଦ୍ୱାରା ବିଶେଷ ଉପକୃତ ହେବେ ବୋଲି ସେ କହିଥିଲେ।






More Stories
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..