Report Card Odisha

| Daily Odia News

ଆଜିଠାରୁୁ କୃଷକଙ୍କ ‘ଦିଲ୍ଲୀ ଚାଲ’ ଆନ୍ଦୋଳନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସ୍ଥଗିତ ରହିଥିବା କୃଷକଙ୍କ ‘ଦିଲ୍ଲୀ ଚାଲ’ ଆନ୍ଦୋଳନ ଆଜିଠାରୁୁ ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କୃଷକ ସଂଗଠନଗୁଡିକ ଅଗ୍ରାହ୍ୟ କରିବା ପରେ ସ୍ଥଗିତ ଆନ୍ଦୋଳନକୁ ପୁନଃ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ପୂର୍ବାହ୍ଣ ୧୧ଟାରୁ କୃଷକମାନେ ଦିଲ୍ଲୀ ଅଭିମୁଖେ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି । ସଂଯୁକ୍ତ କୃଷକ ମୋର୍ଚ୍ଚା (ଅଣ ରାଜନୈତିକ) ସଂଗଠନର ନେତା ଜଗଜିତ ସିଂହ ଡାଲେୱାଲା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ କୃଷକଙ୍କ ସ୍ବାର୍ଥ ଲାଗି ଉଦ୍ଦିଷ୍ଟ ନୁହେଁ। ସେଥିପାଇଁ ଏହାକୁ ଅଗ୍ରାହ୍ୟ କରିଦିଆଯାଇଛି। ତେଣୁ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ପୁନଃ ଆରମ୍ଭ କରାଯିବ। ସେହିପରି ପଞ୍ଜାବ କିଷାନ ମଜଦୁର ସଂଘର୍ଷ କମିଟି ସାଧାରଣ ସମ୍ପାଦକ ସରୱନ ସିଂହ ପାନ୍ଧେର କହିଛନ୍ତି ଯେ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଛି। ରବିବାର କୃଷକ ନେତା ଓ ସରକାରଙ୍କ ମଧ୍ୟରେ ହୋଇଥିବା ଚତୁର୍ଥ ପର୍ଯ୍ୟାୟ କଥାବାର୍ତ୍ତାରେ ତିନିଟି ଡାଲି ଜାତୀୟ ଫସଲ ସହିତ କପା ଓ ମକାକୁ ଏମଏସପିରେ କ୍ରୟ କରିବାକୁ ପ୍ରସ୍ତାବ ଦେଇଥିଲେ। ଅନ୍ୟପଟେ କୃଷକ ସଂଗଠନଗୁଡିକ ଟ୍ରାକ୍ଟର-ଟ୍ରଲି ସହ ରାଜପଥରେ ଚଳାଇଥିବା ଆନ୍ଦୋଳନକୁ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟ ନାପସନ୍ଦ କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜିଏସ୍ ସାନ୍ଧୱାଲିଆଙ୍କ ନେତୃତ୍ବ ପୀଠ କହିଛନ୍ତି ଯେ କୃଷକମାନଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି। ମାତ୍ର ଏହି ଅଧିକାର କଟକଣା ଆଧାରିତ। କୃଷକମାନେ ଟ୍ରାକ୍ଟର-ଟ୍ରଲି ଧରି ରାଜପଥରେ ଆନ୍ଦୋଳନ କରିପାରିବେ ନାହିଁ। ଯାହା ସାଧାରଣ ଲୋକଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି କରୁଛି। ଟ୍ରାକ୍ଟର-ଟ୍ରଲି ଧରି ଆନ୍ଦୋଳନ କରୁଥିବା କୃଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Breaking News