ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟ ହେବ କି ନାହିଁ ସେହି ଚର୍ଚ୍ଚା ଜାରିରହିଛି । ରାଜ୍ୟ ବିଜେପି କୋର କମିଟିର ନେତାମାନେ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟି ନିର୍ବାଚନୀ ରଣନୀତି ଉପରେ ଆଲୋଚନା କରିଛନ୍ତି। ଏପଟେ ଏକ ସପ୍ତାହ ବ୍ୟବଧାନରେ ବିଜେଡି ପୁଣିଥରେ ନିଜର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସ ଡ଼କାଇଥିଲା । ଆଜି ଅପରାହ୍ନ ୪ଟାରେ ବିଜେଡିର ବରିଷ୍ଠ ନେତାମାନଙ୍କ ସହ ନିର୍ବାଚନୀ ରଣନୀତିକୁ ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।ସୂଚନା ଅନୁସାରେ, ରାଜ୍ୟ ବିଜେପିର କୋର କମିଟି ସଦସ୍ୟମାନେ ବୁଧବାର ଦଳର ବରିଷ୍ଠ ନେତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି । ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି ପ୍ରମୁଖ ଆଜି ଅମିତ୍ ଶାହଙ୍କୁ ଭେଟି ନିର୍ବାଚନୀ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତେବେ ଆଲୋଚନାରେ କେଉଁ ସବୁ ପ୍ରସଙ୍ଗ ସ୍ଥାନ ପାଇଛି, ସମ୍ଭାବ୍ୟ ମେଂଟକୁ ନେଇ ଆଲୋଚନା ହୋଇଛି କି ନାହିଁ ତାହା ଜଣାପଡ଼ିନି ।ଆଉ ସେବେଠୁ ବିଜେଡି ସମ୍ପୂର୍ଣ୍ଣ ନିରବ ରହି ସମ୍ଭାବ୍ୟ ମେଂଟ ସସପେନ୍ସକୁ ବଢ଼ାଇ ଚାଲିଛି। ଗଣମାଧ୍ୟମରେ ମେଂଟ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ବିଜେଡି ସମ୍ପୂର୍ଣ୍ଣ ନିରବ ରହିବା କର୍ମୀ ଓ ଟିକେଟ୍ ଆଶାୟୀଙ୍କୁ ହତାଶ କରିଛି । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଦୁଇ ଦଳର ଶୀର୍ଷ ନେତୃତ୍ୱ ମେଂଟକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇସାରିଛନ୍ତି । ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ମଧ୍ୟ ଶେଷ ହୋଇଛି । କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି । ବିଜେପିକୁ ୧୪ଟି ଲୋକସଭା ଓ ୪୯ଟି ବିଧାନସଭା ଆସନ ଛାଡ଼ିବାକୁ ବିଜେଡି ସହମତ ହୋଇସାରିଛି । ରାଜ୍ୟରେ ବିଜେଡି ୭ଟି ଲୋକସଭା ଓ ୯୮ଟି ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେବ । ଏହି ଫର୍ମୂଲା ଆପାତତଃ ଚୂଡ଼ାନ୍ତ ହୋଇସାରିଥିବା ଏବଂ ଦୁଇଦିନ ମଧ୍ୟରେ ଆନୁଷ୍ଠାନିକ ଘୋଷଣା ହେବ ବୋଲି ଜଣାପଡ଼ିଛି।






More Stories
ଝଡ଼ ବର୍ଷା:୮ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..
ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ….
୨ରୁ ଯୁକ୍ତ ଦୁଇ ଖାତାଦେଖା…..