ରିପୋର୍ଟ କାର୍ଡ / କଟକ
ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାର ସମ୍ପର୍କିତ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ଭାରତୀୟ ନିର୍ବାଚନ କମିଶନ ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିବାରୁ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ହାଇକୋର୍ଟ। ତେବେ କମିଶନଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନହେଲେ ଆବେଦନକାରୀ ପୁଣି ଆସି ପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ବିଭିନ୍ନ ସରକାରୀ ଯୋଜନାର ବହୁଳ ପରିମାଣର ବିଜ୍ଞାପନ ଦେବା ଏବଂ ସେସବୁ ବିଜ୍ଞାପନରେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ର ବ୍ୟବହାର ବନ୍ଦ କରିବାକୁ ବିଜେପି ନେତା ଯତୀନ ମହାନ୍ତି ପ୍ରଥମେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ କୋଟି କୋଟି ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ କରୁଛନ୍ତି, ଯାହାକି ନିର୍ବାଚନ ଆଇନର ଉଲ୍ଲଂଘନ କରୁଛି। ଏହାଛଡ଼ା ଏସବୁ ବିଜ୍ଞାପନରେ ଶଙ୍ଖ ଚିହ୍ନର ବ୍ୟବହାର ନିର୍ବାଚନ ଚିହ୍ନ ନିୟମାବଳୀ ୧୯୬୮ର ଉଲ୍ଲଂଘନ କରୁଛି ବୋଲି କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ଯତୀନ ମହାନ୍ତି। କମିଶନ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସେ ପ୍ରଥମେ ସୁପ୍ରିମକୋର୍ଟ ଯାଇଥିଲେ। ପରେ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ ଏବଂ ଶେଷରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ହାଇକୋର୍ଟରେ ମାମଲାର ଶୁଣାଣି ହେବା ପୂର୍ବରୁ ଯତୀନଙ୍କ ଅଭିଯୋଗ ଆଧାରରେ ଜବାବ ଦେବାକୁ ଉଭୟ ରାଜ୍ୟ ସରକାର ଏବଂ ବିଜେଡିକୁ ନିର୍ବାଚନ କମିଶନ ନୋଟିସ ଜାରି କରିଥିଲେ। କମିଶନ ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିବାରୁ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିବା ସହ ମାମଲାର ଅନ୍ତ ଘଟାଇଛନ୍ତି।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ରୁପା ଆମଦାନୀ ଉପରେ କଟକଣା……