Report Card Odisha

| Daily Odia News

ଭାଙ୍ଗିଗଲା ନିର୍ମାଣାଧିନ ପୋଲ, ଜଣେ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିହାରର ସୁପୌଲରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ିବା ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହ ଅନେକ ଶ୍ରମିକ ଫସି ରହିଥିବା ରିପୋର୍ଟରୁ ପ୍ରକାଶ ପାଇଛି। କୋସି ନଦୀ ଉପରେ ନିର୍ମିତ ଏକ ନିର୍ମାଣାଧୀନ ପୋଲର ଏକ ସ୍ଲାବ ଭୁଶୁଡ଼ିବା ପରେ ଏହି ଘଟଣା ଘଟିଛି। ପରେ ଜିଲ୍ଲା ଅଧିକାରୀ ଜଣଙ୍କର ମୃତ୍ୟୁ ଏବଂ ଅନ୍ୟ କେତେଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭୁଶୁଡ଼ିବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ପୋଲର ୫୦, ୫୧ ଓ ୫୨ଟି ସ୍ତମ୍ଭର ଘାଟି ଭୁଶୁଡ଼ି ପଡ଼ିଛି। ପୋଲ ତଳେ ୨୦ରୁ ଅଧିକ ଲୋକ ଫସି ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ସୁପୌଲର ବକୌରରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଛି ଭାରତର ସବୁଠାରୁ ଲମ୍ବା ସଡ଼କ ସେତୁ । ୨୦୨୩ ଅଗଷ୍ଟ ସୁଦ୍ଧା ଏହି ସେତୁ ନିର୍ମାଣ କାର୍ୟ୍ୟ ଶେଷ ହେବାର ଥିଲା, ଯାହା ଏବେ ୨୦୨୪ ଶେଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୬ ପ୍ରତିଶତ ସେତୁ କାମ ଶେଷ ହୋଇଛି। ଏଥିରେ ମୋଟ ୧୭୧ଟି ସ୍ତମ୍ଭ ଥିବା ବେଳେ ସେଥିରୁ ୧୬୬ରୁ ଅଧିକ ସ୍ତମ୍ଭ ପ୍ରସ୍ତୁତ ହୋଇସାରିଛି।

Breaking News