ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆୟକର ନୋଟିସ ମାମଲାରେ କଂଗ୍ରେସକୁ କିଛି ଦିନ ପାଇଁ ମିଳିଲା ସମୟ । ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଆୟକର ବିଭାଗ ନିଶ୍ଚିତ କରିଛି ଯେ ଲୋକସଭା ନିର୍ବାଚନ ୨୦୨୪ ପରେ ଆମେ ଅର୍ଥର ପୁନରୁଦ୍ଧାର କରିବୁ | ଏବେ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି, ତେଣୁ ଆମେ ଏହି ଅର୍ଥର ପୁନରୁଦ୍ଧାର ନେଇ ଏବେ କୌଣସି ପଦକ୍ଷେପ ନେବୁ ନାହିଁ। ଆୟକର ବିଭାଗର ନୋଟିସ ପରେ ଏହି ପ୍ରସଙ୍ଗରେ କଂଗ୍ରେସ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା। ଜଷ୍ଟିସ୍ ବି.ବି ନାଗରତ୍ନାଙ୍କ ଖଣ୍ଡପୀଠ ଆଜି ଏହାର ଶୁଣାଣି କରିବା ସମୟରେ ଆୟକର ବିଭାଗ ପକ୍ଷରୁ କଂଗ୍ରେସକୁ ଏଭଳି ଆଶ୍ୱାସନା ଦିଆଯାଇଥିବା ଜଣାପଡିଛି । ବର୍ତ୍ତମାନ ଏହି ମାମଲାର ଆଗାମୀ ଶୁଣାଣି ଜୁଲାଇ ୨୪ରେ ହେବ। ତେବେ ଆଜି ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆୟକର ବିଭାଗ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, “ଆମେ ୧୭୦୦କୋଟି ଟଙ୍କାର ନୋଟିସ ପଠାଇଛୁ | କିନ୍ତୁ ଲୋକସଭା ନିର୍ବାଚନ ଆସୁଛି। ତେଣୁ ବର୍ତ୍ତମାନ ସମୟରେ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ। ଜୁନ୍ ଦ୍ଵିତୀୟ ସପ୍ତାହରେ ଏହି ମାମଲାର ଶୁଣାଣି କରାଯାଉ। ସେପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ” ଶୁଣାଣି ଶେଷ ହେବା ପରେ ଜୁଲାଇରେ ଆଗାମୀ ଶୁଣାଣି କରାଯିବା ବୋଲି ଖଣ୍ଡପୀଠ କହିଛନ୍ତି | ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ୨୦୧୭-୧୮ ଓ ୨୦୨୦-୨୧ ଆକଳନ ବର୍ଷ ପାଇଁ ଆୟକର ବିଭାଗ ଏହି ନୋଟିସ୍ ଜାରି କରିଥିଲା ଏବଂ ଏଥିରେ ଜରିମାନା ଓ ସୁଧ ସାମିଲ ଥିଲା।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..