Report Card Odisha

| Daily Odia News

ଦଳ ଛାଡିପାରନ୍ତି ଅଜିତଙ୍କର ୧୯ ବିଧାୟକ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ର ରାଜନୀତିରେ ଅନ୍ତଃକନ୍ଦଳ ଲାଗିରହିଛି | ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥିବା ବେଳେ ରୋଚକ ହେଉଛି ରାଜନୀତି। ପୁଣି ଆରମ୍ଭ ହୋଇପାରେ ବିଧାୟକଙ୍କ ଦଳ ପରିବର୍ତ୍ତନର ପର୍ବ । ଅଜିତ ପାଓ୍ୱାର ପୁତୁରାଙ୍କ ଗୋଷ୍ଠୀ ଛାଡି ଶରତ ପାଓ୍ୱାରଦାଦାଙ୍କ ଗୋଷ୍ଠୀରେ ସାମିଲ ହୋଇପାରନ୍ତି ଏନ୍‌ସିପି ବିଧାୟକ। ଏଭଳି କିଛି ଏବେ ଚର୍ଚ୍ଚା ଜୋର ଧରିଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ନେତୃତ୍ୱଧୀନ ଶାସକ ଏନ୍‌ସିପିର ୧୮ରୁ ୧୯ ବିଧାୟକ ଦଳ ଛାଡି ପାରନ୍ତି। ଏମାନେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଶରଦଚନ୍ଦ୍ର ପାଓ୍ୱାର)ଙ୍କ ଗୋଷ୍ଠୀରେ ସାମିଲ ହୋଇପାରନ୍ତି। ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ପରେ ଏହି ବିଧାୟକମାନେ ଅଜିତ ପାଓ୍ୱାରଙ୍କ ହାତ ଛାଡି ଶରଦଚନ୍ଦ୍ର ପାଓ୍ୱାରଙ୍କ ସହ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ଏଭଳି କିଛି ଦାବି କରିଛନ୍ତି ଏନ୍‌ସିପି(ଶରଦଚନ୍ଦ୍ର ପାଓ୍ୱାର) ନେତା ରୋହିତ ପାଓ୍ୱାର। ଏନ୍‌ସିପି(ଶରଦଚନ୍ଦ୍ର ପାଓ୍ୱାର)ର ଅଧ୍ୟକ୍ଷ ତଥା ଶରଦ ପାଓ୍ୱାରଙ୍କ ନାତି ରୋହିତ ପାଓ୍ୱାର କହିଛନ୍ତି ଯେ, ବିଧାୟକମାନଙ୍କୁ ବିଧାନସଭା ମୌସୁମୀ ଅଧିବେଶନରେ ଅଂଶଗ୍ରହଣ କରିବାକୁ ପଡିବ। ନିଜ ନିର୍ବାଚନମଣ୍ଡଳୀ ପାଇଁ ବିକାଶ ପାଣ୍ଠି ଗ୍ରହଣ କରିବାକୁ ପଡିବ। ତେଣୁ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିବେ। ୧୮ରୁ ୧୯ ଏନସିପି ବିଧାୟକ ଆମ ଏବଂ ପାୱାର ସାହେବଙ୍କ ସହ ଯୋଗାଯୋଗରେ ଅଛନ୍ତି। ମୌସୁମୀ ଅଧିବେଶନ ପରେ ସେମାନେ ତାଙ୍କ ଦଳକୁ ଆସିବେ। ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ର ଅନେକ ବିଧାୟକ ଅଛନ୍ତି ଯେଉଁମାନେ ଜୁଲାଇ ୨୦୨୩ରେ ଦଳରେ ବିଭାଜନ ପରେ ମଧ୍ୟ ଦଳର ପ୍ରତିଷ୍ଠାତା ଶରଦ ପାୱାର ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ବିରୋଧରେ କୌଣସି ଭୁଲ କହି ନାହାଁନ୍ତି। ସେମାନେ ଏବେ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ରୋହିତ ପାୱାର ଗଣମାଧ୍ୟମକୁ କହିଛନ୍ତି।ବିଧାନସଭାର ମୌସୁମୀ ଅଧିବେଶନ ଜୁନ୍ ୨୭ରୁ ଆରମ୍ଭ ହୋଇ ଜୁଲାଇ ୧୨ରେ ଶେଷ ହେବ। ଅକ୍ଟୋବରରେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହେବ।

Breaking News