Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଉ ଦୁଇ ପ୍ରଶାସନିକ ଅଫିସରଙ୍କୁ ନିଯୁକ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟରେ ଆଉ ଦୁଇଜଣ ବରିଷ୍ଠ ପ୍ରଶାସନିକ ଅଫିସରଙ୍କୁ ନିଯୁକ୍ତି ମିଳିଛି । ବରିଷ୍ଠ ଓଏଏସ୍ ଚିତ୍ରସେନ ରାଉତ ଓ ବରିଷ୍ଠ ଓଏଫଏସ୍ ଉମେଶଚନ୍ଦ୍ର ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଛି । ପୂର୍ବରୁ ୩ଜଣ ଅଫିସର ତ୍ରିଲୋଚନ ମହାନ୍ତି, ବିନୋଦ ବିହାରୀ ସିଂ ଓ ସତୀଶ ଚନ୍ଦ୍ର ସାମଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିଲା । ସାଧାରଣ ପ୍ରଶାସନ ବିଭାଗ ଓ ଅର୍ଥ ବିଭାଗ ପକ୍ଷରୁ ଜାରି ଦୁଇଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ଅନୁସାରେ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଚିତ୍ରସେନ ରାଉତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ଅଥ ର୍ବିଭାଗର ବିଜ୍ଞପ୍ତି ଅନୁସାରେ ଓଡ଼ିଶା ଅର୍ଥ ସେବା(ଓଏଫଏସ)ର ବରିଷ୍ଠ ଅଧିକାରୀ ଉମେଶଚନ୍ଦ୍ର ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଶ୍ରୀ ତ୍ରିପାଠୀ ଇସ୍ପାତ ଓ ଖଣି ବିଭାଗର ଫାଇନାନ୍ସ ଅଫିସର ତଥା ଅତିରକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ । ସୂଚନାଯୋଗ୍ୟ, ପୂର୍ବରୁ କେନ୍ଦୁଝର ଉପଜିଲ୍ଲାପାଳ ଓଏଏସ୍ ତ୍ରିଲୋଚନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଓ ଓଡ଼ିଶା ସଚିବାଳୟ ସେବାର ବିନୋଦ ବିହାରୀ ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁସଚିବ ଏବଂ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ଅବସ୍ଥାପିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚଳିତମାସ ୧୨ତାରିଖରେ ଦାୟିତ୍ୱ ନେଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ନିଜର କାର୍ଯ୍ୟ ଆରମ୍ଭ କରିପାରିନାହାନ୍ତି । ରାଜ୍ୟ ଅତିଥି ଭବନରେ ସେ ନିଜର ଅସ୍ଥାୟୀ ଅଫିସ୍ କରିଛନ୍ତି ।

Breaking News