ରିପୋର୍ଟ କାର୍ଡ / ବାଲେଶ୍ୱର
ବାଲେଶ୍ବର ସହରରେ ସ୍ଥିତି ସୁଧାରକୁ ଦୃଷ୍ଟିରେ ରଖି ପ୍ରଶାସନ ଲାଗୁ ହୋଇଥିବା କର୍ଫ୍ୟୁକୁ କୋହଳ କରିଛି। ପୂର୍ବ ଭଳି ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ଟାରୁ ରାତି ୯ଟା ଓ ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ। ସ୍ଥିତିର ଲଗାତର ସୁଧାରକୁ ଗୁରୁତ୍ବ ଦେଇ ଆଜିଠାରୁ କର୍ଫ୍ୟୁ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ କଲେଜ ଖୋଲିଛି। ତେବେ ଟାଉନ ଥାନା ଅଞ୍ଚଳରେ ସକାଳରୁ ସ୍କୁଲ ଆରମ୍ଭ ହୋଇ ଅପରାହ୍ଣ ୨ଟା ପୂର୍ବରୁ ଛୁଟି ହେବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। ସେହିଭଳି ସହରରେ ଫେରୁଥିବା ସ୍ବାଭାବିକ ଅବସ୍ଥାକୁ ପ୍ରତିଦିନ ପରଖିବା ପରେ ବନ୍ଦ ରହିଥିବା ମୋବାଇଲ ଫୋନ ଇଣ୍ଟରନେଟ ସେବାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଶାସନ ପକ୍ଷରୁ ଗୃହ ବିଭାଗ ସହ ଆଲୋଚନା ହୋଇଛି। ଆଜିଠାରୁ ମୋବାଇଲ ଫୋନ ଇଣ୍ଟରନେଟ୍ ସେବା ଚାଲୁ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସହରର ପ୍ରତ୍ୟେକ ଅଞ୍ଚଳରେ ଥିବା ସ୍ଥାନୀୟ କମିଟି ସହ ପ୍ରଶାସନର ପ୍ରତିନିଧି ଶାନ୍ତି ପ୍ରତିଷ୍ଠା ଦିଗରେ ଆଲୋଚନା ଜାରି ରଖିଛନ୍ତି। ସମସ୍ତଙ୍କ ସହଯୋଗରେ ସହରର ସ୍ଥିତିର ଉନ୍ନତି ଘଟି ଚାଲିଥିବାବେଳେ ଖୁବ ଅଳ୍ପଦିନ ମଧ୍ୟରେ ଅବସ୍ଥା ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଯିବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି। ସେହିଭଳି ଜନସାଧାରଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଁ ପୋଲିସ ଓ ସୁରକ୍ଷା ବଳ ୨୪ ଘଣ୍ଟିଆ ସଜାଗ ରହିଛି | ଗୋଷ୍ଠୀ କନ୍ଦଳରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫଦାରି ବି ଜାରି ରହିଥିବା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ କହିଛନ୍ତି ଯେ ଅଦ୍ୟାବଧି ୨୧ଟି ମାମଲା ରୁଜୁ ହେବା ସହ ୮୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କିଛି ଅସାମାଜିକ ବ୍ୟକ୍ତି ଗୁଜବ ପ୍ରଚାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସାଇବର ଥାନାରେ ଏକ ମାମଲା ରୁଜୁ ହୋଇଛି। ମୋବାଇଲ ଫୋନ ଇଣ୍ଟରନେଟ୍ ସେବା ଚାଲୁ ହେବାକୁ ଯାଉଥିବାବେଳେ ସୋସିଆଲ ମିଡିଆରେ ଗୁଜବ ପ୍ରଚାରର ଆଶଙ୍କା ରହିଛି। ଏହାକୁ ବିଶ୍ବାସ ନ କରି ପ୍ରଥମେ ପୋଲିସକୁ ସୂଚନା ଦେବା ପାଇଁ ଏସପି ଶ୍ରୀମତୀ ନାଥ ସମସ୍ତଙ୍କୁ ନିବେଦନ କରିଛନ୍ତି।






More Stories
ପୁଣି ଲଘୁଚାପ ସମ୍ଭାବନା…..
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
୧୦ ଜିଲ୍ଲାରେ ହେବ ନିଯୁକ୍ତି……