ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ । କିଛି ଘଣ୍ଟାର ଲଗାଣ ବର୍ଷା ପରେ ସବୁଠି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟରେ ଗାଡ଼ିମୋଟର ଅଟକି ରହିବା ସହ କାର୍ ଭାସୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ସେପଟେ ବିମାନବନ୍ଦର ସିଲିଂ ଭୁଶୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ପାଣିପାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାତୀୟ ରାଜଧାନୀରେ ମାତ୍ର ତିନି ଘଣ୍ଟା ମଧ୍ୟରେ ପ୍ରାୟ ୧୫ ସେମି ବର୍ଷା ହୋଇଥିଲା। ଶୁକ୍ରବାର ରାତି ୨.୩୦ରୁ ସକାଳ ୫.୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଛି।ସଫଦରଜଙ୍ଗରେ ୧୪୮.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଫଳରେ ଅନେକ ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶିଯାଇଛି। ଫଳରେ ଘରେ ଭିତରେ ଆସବାବପତ୍ର ଭାଶୁଛି। ରାସ୍ତାରେ କାର୍ ମୋଟର ମଧ୍ୟ ଭାସୁଛି। ବିଶେଷ କରି ଯାତାୟତ ପଭାବିତ ହୋଇଛି। ସେପଟେ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଟୟର୍ମିନାଲ୍-୧ର ସିଲିଂ ଭୁଶୁଡି ପଡ଼ିଛି। ସିଲିଂର ଭଗ୍ନାବଶେଷ ଏକାଧିକ କାର୍ ଉପରେ ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଟର୍ମିନାଲରେ ସମସ୍ତ ପ୍ରସ୍ଥାନ ଗେଟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏଥିସହ ଚେକ୍ ଇନ୍ କାଉଣ୍ଟରକୁ ମଧ୍ୟ ବନ୍ଦ ରଖାଯାଇ ଥିବାବେଳେ ମଧ୍ୟରାତ୍ରିରୁ ଷୋହଳଟି ଅବତରଣ କରିବାକୁ ଥିବା ବିମାନ ଏବଂ ବାରଟି ଉଡ଼ାଣ କରିବାକୁ ଥିବା ବିମାନ ବାତିଲ କରାଯାଇଛି। ଟ୍ରାଫିକ ପୋଲିସ ଅନେକ ରାସ୍ତାର ଦିଗ ପରିବର୍ତ୍ତନ କରିଛନ୍ତି। ଜଳବନ୍ଦୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀକୁ ଲାଗିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ରାଜପଥର ମାର୍ଗ ପରିବର୍ତ୍ତନ କରାଯାଇଛି। ଅନ୍ୟପଟେ ଦିଲ୍ଲୀର ଏପରି ପରିସ୍ଥିତି ପାଇଁ ଆପ୍ ସରକାରକୁ ଦାୟୀ କରିଛି ବିଜେପି। ଦିଲ୍ଲୀ ସରକାର ମୌସୁମୀ ପାଇଁ ପ୍ରସ୍ତୁତ ନଥିବା ଅଭିଯୋଗ କରିଛନ୍ତି ବିଜେପି କାଉନସିଲର ରବୀନ୍ଦର ସିଂହ ନେଗି। ସେ ଏକ ଡଙ୍ଗାରେ ଦିଲ୍ଲୀ ରାସ୍ତା ପାରି ହେଉଥିବା ଦେଖିବାକୁ ମିଳିଛି। ମୌସୁମୀ ପୂର୍ବରୁ ଡ୍ରେନଗୁଡିକୁ ସଫା କରାଯାଉ ନାହିଁ, ଯାହା ଫଳରେ ଅସରାଏ ବର୍ଷାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..