Report Card Odisha

| Daily Odia News

ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରବଳ ବର୍ଷା ସମ୍ଭାବନା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମଧ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହିତ ସାରା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଉଭୟ ଘୂର୍ଣ୍ଣିବଳୟ ଏବଂ ମୌସୁମୀ ବାୟୁ ସକ୍ରିୟ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବାବେଳେ ଉତ୍ତର ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡା ଏବଂ ଗଜପତି ଜିଲ୍ଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଏହି ତିନି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହୋଇଛି। ବାରିପଦାରେ ୯୨ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ସୁଳିଆପଦା ୭୮ମି.ମି, ଜାମଶୋଳାଘାଟରେ ୬୦.୬ମି.ମି ବର୍ଷା ହୋଇଛି। ଏଥିସହିତ ଅନୁଗୋଳ, ବରଗଡ, ନୟାଗଡ, ବୌଦ୍ଧ, ନୂଆପଡା, ରାୟଗଡା ଏବଂ ଗଞ୍ଜାମ ଜିଲାରେ ବର୍ଷା ହୋଇଥିଲା। ରବିବାର ଅପରାହ୍ଣରୁ ଭୁବନେଶ୍ବର କଟକ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଥିଲା। ଭୁବନେଶ୍ବରରେ ୫୨.୬ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ କଟକ ୪୬.୨ମି.ମି, ଗୋପାଳପୁର ୧୬ମି.ମି, ଯାଜପୁର ୨୦ମି.ମି, ଦାରିଙ୍ଗବାଡି ୧୨ମି.ମି ଏବଂ ଫୁଲବାଣୀ ୧୬.୮ମି.ମି ବର୍ଷା ହୋଇଛି।

Breaking News