ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଧ୍ର ପ୍ରଦେଶରେ ଅନକାପଲ୍ଲୀରେ ଫାର୍ମା କମ୍ପାନୀ ରିଆକ୍ଟରରେ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ହୋଇଛି। ଏଥିରେ ୪୦ରୁ ଅଧିକ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ଅନକାପଲ୍ଲୀର ଅଚ୍ୟୁତମପୁରମଠାରେ ଥିବା ଏକ ଘରୋଇ ଫାର୍ମା କମ୍ପାନୀର ରିଆକ୍ଟରରେ ବିସ୍ଫୋରଣ ପରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଔଷଧ ପ୍ରସ୍ତୁତ ପାଇଁ ଆବଶ୍ୟକ କେମିକାଲ ଓ ଔଷଧର କଞ୍ଚାମାଲ ପ୍ରସ୍ତୁତ ହେଉଥିବା ଏ କମ୍ପାନୀର ୪ ମହଲା କୋଠାରେ ୩୮୧ ଜଣ ଶ୍ରମିକ କାମ କରନ୍ତି। ଦୁଇଟି ସିଫ୍ଟରେ କାମ ହେଉଥିବା ବେଳେ ଦୁର୍ଘଟଣା ସମୟରେ ସିଫ୍ଟ ବଦଳ ସମୟ ହୋଇଥିବାରୁ ଉଭୟ ସିପ୍ଟର ଲୋକ ଉପସ୍ଥିତ ଥିଲେ। ବିସ୍ଫୋରଣ ତୀବ୍ରତା ଖୁବ୍ ଅଧିକ ଥିବାରୁ ଏଥିରେ ଅନେକଙ୍କ ମୃତଦେହ ବହୁ ଦୂର ଯାଏଁ ଛିଟିକି ପଡ଼ିଥିଲା। ଆହତଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ଥିବାରୁ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ପରିବାର ସର ସରକାର ଛିଡ଼ା ହୋଇଥିବା କହିଛନ୍ତି। ତେବେ ଏହି ବିସ୍ଫୋରଣ କେମିତି ହେଲା, ସେ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। ସେପଟେ ପ୍ରଧାନମନ୍ତ୍ରୀ ପ୍ରତ୍ୟକ ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..