Report Card Odisha

| Daily Odia News

ବଡ଼ ପାଟିରେ ମିଛ କହିଲେ ସତ ହୋଇଯା ନାହିଁ: ନବୀନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବଡ଼ ପାଟିରେ ମିଛ କହିଲେ ତାହା କେବେ ସତ ହୋଇଯାଏ ନାହିଁ। ମିଛ କହି ନିର୍ବାଚନ ଜିତିବା ସହଜ ହୋଇପାରେ, କିନ୍ତୁ ଲୋକଙ୍କ ହୃଦୟ ଜିତିବା ସହଜ ନୁହେଁ। ଲୋକଙ୍କ ହୃଦୟ ଜିତିବା ପାଇଁ ସେବା ହିଁ ଏକମାତ୍ର ମାର୍ଗ ବୋଲି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ବୁଧବାର ଶଙ୍ଖ ଭବନରେ ଆୟୋଜିତ ବିଜୁ ଯୁବ ଜନତା ଦଳର ଏକ ସମାବେଶରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ମାଗଣା ବିଜୁଳି ଓ ପେନ୍‌ସନ ସବୁ କଥାରେ ବିଜେପିର ମିଛ ଓ ଦୁଇ ପ୍ରକାର କଥା। ତିନି ମାସ ହୋଇଗଲା। ଏବେ ଆଈ ମା’ ଗପ ଛାଡ଼ି କାମ କରି ଦେଖାନ୍ତୁ। କିଛି ଲୋକ ସେମାନଙ୍କ ଚିନ୍ତାଧାରାକୁ ସମସ୍ତଙ୍କ ଉପରେ ଲଦି ଦେବାକୁ ଚାହୁଛନ୍ତି। କିନ୍ତୁ ଭାରତ ପରି ଏକ ଗାଣତାନ୍ତ୍ରିକ ସମାଜରେ ଏହା ଗ୍ରହଣୀୟ ନୁହେଁ। ଏପରିକି କିଛି ଲୋକ ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ଆମ ବରପୁତ୍ରମାନଙ୍କୁ ନିନ୍ଦା କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏହା କ’ଣ ଓଡ଼ିଆ ଅସ୍ମିତା? ଏହା କ’ଣ ଆମ ବରପୁତ୍ରମାନଙ୍କ ତ୍ୟାଗ ପାଇଁ ସମ୍ମାନ? ଏଭଳି କାର୍ଯ୍ୟ ଆମ ଭବିଷ୍ୟତ ପିଢ଼ିକୁ କି ପ୍ରେରଣା ଦେବ? ବିରୋଧୀ ଦଳ ନେତା ଆହୁରି କହିଥିଲେ, ଯେ ପର୍ଯ୍ୟନ୍ତ ଆମେ ବିଜୁ ବାବୁଙ୍କ ଆଦର୍ଶରେ କାମ କରୁଥିବା ସେ ପର୍ଯ୍ୟନ୍ତ ଲୋକଙ୍କ ହୃଦୟରେ ବିଜେଡି ରହିଥିବ। ବିଜେଡି କିଛି ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ, ଏକ ଆଦର୍ଶ ଉପରେ ପ୍ରତିଷ୍ଠିତ। ସୁବିଧାବାଦୀଙ୍କ ଦଳ ତ୍ୟାଗ ଆମ ଆଦର୍ଶ ପାଇଁ ସଂଗ୍ରାମକୁ ଲହୁ ଲୁହ ଦେଇ ଆହୁରି ଶକ୍ତିଶାଳୀ କରିବ। ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହି ମିଛ ପ୍ରଚାର ବିରୋଧରେ ଲଢ଼େଇ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ବ କରି ବିଜୁ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାର ଭାରତ ତଥା ଓଡ଼ିଶାର ଯୁବକମାନଙ୍କୁ ଯେଉଁସବୁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲେ ତାହା ଆଜି ପ୍ରତାରଣାରେ ପରିଣତ ହୋଇଛି। ଓଡ଼ିଶା ବଜେଟ୍‌ରେ ଯୁବକମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଆଗାମୀ ଦିନରେ ମହାନଦୀ ଓ ପୋଲାଭରମ୍‌ ପାଇଁ ବିଜୁ ଯୁବ ଜନତା ଦଳର ପକ୍ଷରୁ ଆନ୍ଦୋଳନ କରାଯିବ। ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚ୍ଚୀ ନାୟକ, ସଞ୍ଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ, ବିଧାୟକ ଅରୁଣ କୁମାର ସାହୁ, କଳିକେଶ ନାରାୟଣ ସିଂହଦେଓ ଓ ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ଯୁବ ସଂଗଠନରୁ ନିର୍ବାଚିତ ହୋଇଥିବା ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଧାୟକ ସୁନିଲ ମହାନ୍ତି ଓ ରୂପେଶ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସାଂସଦ ସୁଲତା ଦେଓ, ଯୁବ ନେତା ଅମରେଶ ପତ୍ରୀ, ଚିନ୍ମୟ ସାହୁ ଓ ରଞ୍ଜିତ ପାତ୍ରଙ୍କ ସମେତ ବିଜୁ ଯୁବ ଜନତା ଦଳର ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି ଓ ଜୋନ୍ ସଭାପତିମାନେ ଉପସ୍ଥିତ ଥିଲେ।

Breaking News