ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆପ୍ ନେତ୍ରୀ ଆତିଶୀ ଶପଥ ନେଇଛନ୍ତି। ସେ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ସହ କ୍ୟାବିନେଟର ଅନ୍ୟ ପାଞ୍ଚ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ୟାବିନେଟ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଶପଥ ପାଠ ପରେ ଗୋଟିଏ ଦୃଶ୍ୟ ସାମ୍ନାକୁ ଆସିଛି। ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆପ୍ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି। ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ଶପଥ ପାଠ ସମୟରେ ଷ୍ଟେଜ ସାମ୍ନାରେ କେଜ୍ରିୱାଲଙ୍କ ସମେତ ଅନ୍ୟ ଅତିଥିମାନେ ବସିଥିଲେ। ଶପଥ ପାଠ ପରେ ଉପ ରାଜ୍ୟପାଳ ସକ୍ସେନା ଓ ମୁଖ୍ୟମନ୍ତ୍ରୀ ଆତିଶୀ ସିଧା କେଜ୍ରିୱାଲଙ୍କ ପାଖକୁ ଆସିଥିଲେ। ଉପ ରାଜ୍ୟପାଳ ସକ୍ସେନା ସ୍ମିତ ହାସ୍ୟ ଦେଇ କେଜ୍ରିୱାଲଙ୍କ ସହ ହାତ ମିଳିଥିଲେ। ଏହି ସମୟରେ ଆତିଶୀ ସେଠାରେ ପହଞ୍ଚି କେଜ୍ରିୱାଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଅନ୍ୟମାନଙ୍କୁ ମଧ୍ୟ ସେ ନମସ୍କାର କରିଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ଆତିଶୀ ନିଜର ପ୍ରଥମ ଭାଷଣରେ ଦିଲ୍ଲୀବାସୀଙ୍କୁ ପୁଣିଥରେ କେଜ୍ରିୱାଲଙ୍କୁ ଏହି ପଦକୁ ଶୀଘ୍ର ଫେରାଇ ଆଣିବାକୁ ଆହ୍ୱାନ ଦେଇଛନ୍ତି।ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇଥିଲେ କେଜ୍ରିୱାଲ। ସେ ୬ ମାସ ଜେଲରେ ରହିବା ପରେ ସେପ୍ଟେମ୍ବର ୧୪ରେ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ। ଏହାର ଦିନକ ପରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ। ୧୭ ତାରିଖ ସନ୍ଧ୍ୟାରେ କେଜ୍ରିୱାଲ ଇସ୍ତଫା ଦେବା ସହ ଆତିଶୀ ନୂଆ ସରକାର ଗଠନ ପାଇଁ ଦାବି ଜଣାଇଥିଲେ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..