Report Card Odisha

| Daily Odia News

ମଥୁରା ‘ପେଡା’କୁ ନେଇ ବିବାଦ ସୃଷ୍ଟି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରର ପ୍ରସାଦରେ ଦିଆଯାଉଥିବା ଲଡୁରେ ପଶୁ ଚର୍ବି ମିଶାଯାଉଥିବା ଅଭିଯୋଗକୁ ନେଇ ବିବାଦ ସୃଷ୍ଟି ହୋଇଛି। ତିରୁପତି ମନ୍ଦିର ଲଡୁ ବିବାଦର ସମାଧାନ ହୋଇ ନଥିବାବେଳେ ଉତ୍ତରପ୍ରଦେଶର ମଥୁରା ଓ ବୃନ୍ଦାବନରେ ଭକ୍ତଙ୍କୁ ପ୍ରସାଦ ଆକାରରେ ବିକ୍ରି କରାଯାଉଥିବା ଭୋଗ ‘ପେଡା’କୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ଦୁଇ ଧାର୍ମିକ ପୀଠରେ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ପେଡା ଓ ଅନ୍ୟାନ୍ୟ ମିଠାକୁ ପ୍ରସାଦ ଆକାରରେ ଭୋଗ ଲଗାଯାଇଥାଏ। ଠାକୁରଙ୍କ ନିକଟରେ ଭୋଗ ଆକାରରେ ଲଗାଯାଉଥିବା ବିଭିନ୍ନ ପ୍ରକାର ମିଠା ଯଥା କ୍ଷୀର, ପନିର, ବର୍ଫି, ମିଲ୍‌କ କେକ୍‌, ରସଗୋଲା, ଇମର୍ତ୍ତି, ସୋନପାମ୍ପୁଡି ଇତ୍ୟାଦି ମଧ୍ୟରୁ ପେଡା ନିମ୍ନମାନର ଥିବା ଜଣାଯାଇଛି। ଅଧିକାଂଶ ମିଠା ଏଫଏସଏସ୍‌ଏଆଇର ମାନ ଅନୁଯାୟୀ ହୋଇଥିବାବେଳେ ‘ପେଡା’ ଧାର୍ଯ୍ୟ ମାନ ପୂରଣ କରୁ ନଥିବା ଜଣାପଡିଛି। ଫଳରେ ପେଡାର ବିଭିନ୍ନ ନମୁନାକୁ ପରୀକ୍ଷା ନିମନ୍ତେ ଲକ୍ଷ୍ନୌସ୍ଥିତ ପରୀକ୍ଷାଗାରକୁ ପଠାଯାଇଛି। ଉତ୍ତରପ୍ରଦେଶ ଖାଦ୍ୟ ନିରାପତ୍ତା ଏବଂ ମାଦକଦ୍ରବ୍ୟ ପ୍ରଶାସନ (ଏଫଏସ୍‌ଡିଏ) କହିଛି ଯେ ମଥୁରା, ବୃନ୍ଦାବନ ଓ ଏହାର ଆଖପାଖ ୧୫ଟି ମିଠା ଦୋକାନରୁ ୪୩ଟି ମିଠାର ନମୁନାକୁ ପରୀକ୍ଷା କରାଯାଇଥିଲା। ଏଫଏସ୍‌ଡିଏର ଅତିରିକ୍ତ କମିସନର ଧୀରେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ରବି ଓ ସୋମବାର ବିଭିନ୍ନ ପ୍ରକାର ମିଠାର ନମୁନା ପରୀକ୍ଷା କରାଯାଇଥିବାବେଳେ ୪୨ଟି ମିଠାର ନମୁନା ଠିକ୍ ଥିବା ଜଣାପଡିଥିଲା। ମାତ୍ର ପେଡାର ନମୁନାରେ ତ୍ରୁଟି ଥିବା ଜଣାପଡିବାରୁ ଏହାକୁ ଅଧିକ ପରୀକ୍ଷା ନିମନ୍ତେ ଲକ୍ଷ୍ନୌ ପଠାଯାଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୨୩ ଓ ୨୪ରେ ରାଜସ୍ଥାନ ସରକାର ବିଭିନ୍ନ ମନ୍ଦିରରେ ପ୍ରସାଦ ଆକାରରେ ଭକ୍ତଙ୍କୁ ଦିଆଯାଉଥିବା ଭୋଗର ମାନ ଯାଞ୍ଚ କରିଥିଲେ। ତିରୁପତି ଲଡୁ ବିବାଦ ପରେ କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ ମନ୍ଦିରରେ ତିଆରି ପ୍ରସାଦକୁ ନନ୍ଦୀନି ଘିଅରେ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି।

Breaking News