Report Card Odisha

| Daily Odia News

ଜାନୁଆରି ୨୮ରୁ ‘ଉତ୍କର୍ଷ ଓଡ଼ିଶା‌-ମେକ୍ ଇନ୍ ଓଡ଼ିଶା’ କନ୍‌କ୍ଲେଭ୍‌….

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆସନ୍ତା ୨୦୨୫ ଜାନୁଆରି ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ଅନୁଷ୍ଠିତ ହେବ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଲୋଗୋ ଉନ୍ମୋଚନ କରିଛନ୍ତି। ରାଜ୍ୟକୁ ଆହୁରି ଶିଳ୍ପ ସମୃଦ୍ଧ କରିବା ପାଇଁ ଉତ୍ପାଦନ, ଭିତ୍ତିଭୂମି, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ପ୍ରମୁଖ କ୍ଷେତ୍ରଗୁଡିକରେ ବିନିଯୋଗ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ନିବେଶକମାନଙ୍କୁ ‌ସେ ଆମନ୍ତ୍ରଣ କରିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଆମର ଲକ୍ଷ୍ୟ ହେଉଛି ଯୋଜନାରୁ ସହଯୋଗିତା ଓ ସହଯୋଗିତାରୁ ପ୍ରଗତି ଆଡ଼କୁ ଅଗ୍ରସର ହେବ। ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ରେ ରାଜ୍ୟର ଅନୁକୂଳ ବ୍ୟବସାୟ ପରିବେଶ, ପ୍ରମୁଖ କ୍ଷେତ୍ର ଓ ନୂଆ ସୁଯୋଗ ଉପରେ ଆଲୋକପାତ କରାଯିବ ବୋଲି ସେ କହଛନ୍ତି। ଏହା ବିଶ୍ବସ୍ତରୀୟ ନିବେଶକମାନଙ୍କୁ ଆକୃଷ୍ଟ କରିବା ସହ ସମୃଦ୍ଧ ଉତ୍କଳୀୟ ପରମ୍ପରାର ବିକାଶ ପାଇଁ ପ୍ରୟାସ କରିବ। ଏଥି ସହିତ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଅଭ୍ୟୁଦୟ ହେବ ବୋଲି ସେ କହିଛନ୍ତି। ଆଜିର ଲୋଗୋ ଉନ୍ମୋଚନ ଓଡ଼ିଶାକୁ ଭାରତର ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ପ୍ରତିପାଦିତ କରିବାରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ରାଜ୍ୟରେ ଶିଳ୍ପ ଭିତ୍ତିଭୁମିର ବିକାଶ ଲାଗି ପ୍ରତି ଜିଲ୍ଲାରେ ଏମ୍ଏସ୍‌ଏମ୍‌ଇ ପାର୍କ, ଏଫ୍‌ଡିଆଇ ପାର୍କ, ମଲ୍‌ଟି ‌ମୋଡାଲ୍ ଲଜିଷ୍ଟିକ୍ସ ପାର୍କ ଓ ନୂଆ ଶିଳ୍ପ କରିଡର୍‌ ସ୍ଥାପନ କରାଯାଉଛି। ଏହା ଓଡ଼ିଶାକୁ ଦୀର୍ଘକାଳୀନ ଭିତ୍ତିରେ ଭାରତର ଶିଳ୍ପ ଦୃଶ୍ୟପଟ୍ଟରେ ଅଗ୍ରଣୀ ସ୍ଥାନରେ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି ଯେ ଭବିଷ୍ୟତରେ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ସହିତ ନବସୃଜନ ଓ ସ୍ଥାୟିତ୍ବକୁ ନେଇ ନିବେଶକମାନଙ୍କୁ ବିଶ୍ବସ୍ତରୀୟ ସୁବିଧା ଯୋଗାଇ ଦେବାକୁ ଆମେ ପ୍ରୟାସ କରୁଛୁ। ଶିଳ୍ପ ଭିତ୍ତିଭୂମି ବିକାଶରେ ଜିଲ୍ଲାପାଳମାନଙ୍କ ଭୂମିକାକୁ ପ୍ରଶଂସା କରି ନିଜ ଅଞ୍ଚଳରେ ଅଧିକ ଶିଳ୍ପ କାର୍ଯ୍ୟକ୍ଷମ କରିବା ଓ ଶିଳ୍ପ ଅନୁକୂଳ ଭିତ୍ତିଭୂମି ବିକାଶ କରିବାକୁ ସେ ସେମାନଙ୍କୁ ଅନୁରୋଧ କରିଛନ୍ତି। ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା, ରାଜ୍ୟ ସରକାରଙ୍କ ପ୍ରମୁଖ ମନ୍ତ୍ରୀଗଣ, ମୁଖ୍ୟ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇପିକଲ୍‌ର ଏମ୍‌ଡି ଭୂପିନ୍ଦର ସିଂହ ପୁନିଆ, ରାଜ୍ୟର ବରିଷ୍ଠ ଶିଳ୍ପପତି, ପ୍ରମୁଖ ଶିଳ୍ପ ସଙ୍ଗଠନ ତଥା ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Breaking News