ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ ଓ ଇରାନ୍ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ। ଇସ୍ରାଏଲ ଉପରେ ୨୦୦ରୁ ଅଧିକ ମିସାଇଲ୍ ମାଡ଼ କରିଛି ଇରାନ୍। ଏହି ଆକ୍ରମଣ ପରେ ଚିହିଁକି ଉଠିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ସେ ଇରାନକୁ ଦେଇଛନ୍ତି କଡ଼ା ଚେତାବନୀ। ଇରାନ୍ର ଘନ ଘନ ମିସାଇଲ୍ ମାଡ଼ ପରେ ଜେରୁଜେଲମରେ ଏକ ସୁରକ୍ଷା କ୍ୟାବିନେଟ୍ ବୈଠକ ଡକାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଏହି ବୈଠକ ବେଳେ ସେ ଇରାନ୍କୁ ଦେଇଛନ୍ତି କଡ଼ା ଚେତାବନୀ। ସେ କହିଛନ୍ତି, ଇରାନକୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ସାଙ୍ଘାତିକ ପରିଣାମ ଭୋଗିବ ଇରାନ୍। ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ବିଫଳ ହୋଇଛି। ଇସ୍ରାଏଲର ମିସାଇଲ୍ ଏୟାର ଡିଫେନ୍ସ ପ୍ରଣାଳୀ ହେଉଛି ବିଶ୍ୱର ସବୁଠାରୁ ଉନ୍ନତ, ଏହା ଦ୍ୱାରା ହିଁ ଇରାନର ଆକ୍ରମଣକୁ ବିଫଳ କରାଯାଇଛି। ଇସ୍ରାଏଲ ଉପରେ ଆକ୍ରମଣ ପରେ ଇରାନ୍ ତରଫରୁ ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଇରାନ୍ର ଜଣେ ଅଧିକାରୀ କହିଛନ୍ତି, ଯଦି ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଏହାର କଡ଼ା ଜବାବ ଦିଆଯିବ। ମିଳିତ ଜାତିସଂଘରେ ଇରାନ କହିଛି ଯେ ଯଦି ଇସ୍ରାଏଲ ଏହାର ଜବାବ ଦିଅନ୍ତି, ତେବେ ଆମେ ବିନାଶକାରୀ ଢ଼ଙ୍ଗରେ ଜବାବ ଦେବୁ। ଇରାନ୍ ତରଫରୁ କରାଯାଇଥିବା ଏହି ଭୟଙ୍କର ଆକ୍ରମଣକୁ ଦୃଷ୍ଟିରେ ରଖି ଇସ୍ରାଏଲ ନିଜ ଦେଶବାସୀଙ୍କୁ ବଙ୍କର ଭିତରେ ରହିବାକୁ ନିର୍ଦ୍ଦେଶ ଦେଇଛି।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..