Report Card Odisha

| Daily Odia News

ଇରାନ୍‌ ଉପରେ ଲାଗିପାରେ କଟକଣା,G7ର ଜରୁରୀ ବୈଠକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇସ୍ରାଏଲ ଉପରେ ଘନ ଘନ ମିସାଇଲ୍‌ ମାଡ଼ କରିଛି ଇରାନ୍‌। ଏହାପରେ ମଧ୍ୟପ୍ରାଚ୍ୟରେ ଘନେଇବାରେ ଲାଗିଛି ଯୁଦ୍ଧ ଆଶଙ୍କା। ସ୍ଥିତି ଅତ୍ୟନ୍ତ ଭୟଙ୍କର ହେବାରେ ଲାଗିଛି। ଏହି ଯୁଦ୍ଧ ଆଗକୁ କେଉଁ ମୋଡ ନେବ ତା’ଉପରେ ସମସ୍ତଙ୍କ ନଜର ରହିଛି। ଏହାରି ଭିତରେ ଇରାନ ଉପରେ ନୂଆ କଟକଣା ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଜରୁରୀକାଳୀନ ଜି-୭ ବୈଠକ ଡାକିଛନ୍ତି। ଇରାନ ଉପରେ ନୂଆ କଟକଣା ଲଗାଇବା ନେଇ ବୈଠକରେ ଆଲୋଚନା ହୋଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଜି-୭ ନେତାମାନେ ଇରାନର ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ତେବେ ବୈଠକରେ ଇସ୍ରାଏଲ ପାଇଁ ଲକ୍ଷ୍ମଣ ରେଖା ଟାଣିଛନ୍ତି ବାଇଡେନ୍‌। ସେ କହିଛନ୍ତି, ଇସ୍ରାଏଲକୁ ଜବାବ ଦେବା ଅଧିକାର ରହିଛି। ଆଉ ଆମେ ଏଥିରେ ଏକମତ ମଧ୍ୟ। କିନ୍ତୁ ଇସ୍ରାଏଲ ଏକ ସୀମା ମଧ୍ୟରେ ରହି ଇରାନକୁ ପାଲଟା ଜବାବ ଦେବା ଉଚିତ। ତେବେ ଏହି ସୀମା କ’ଣ ହେବ ସେନେଇ ବିଡେନ କିଛି କହି ନାହାଁନ୍ତି। ସୂଚନା ମୁତାବକ, ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣକୁ ସମର୍ଥନ କରୁନଥିବା କଥା ବାଇଡେନ୍ କହିଛନ୍ତି। ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେଉ ବୋଲି ଆମେ ଚାହୁଁଛୁ ବୋଲି ବାଇଡେନ କହିଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଯେ ଇସ୍ରାଏଲ୍ ଉପରେ ମିସାଇଲ ଆକ୍ରମଣ ପରେ ଇରାନ୍ ବିରୋଧରେ ନୂଆ କଟକଣା ଲାଗୁ କରିବାକୁ ଆମେରିକା ଯୋଜନା କରୁଛି। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜି-୭ ରାଷ୍ଟ୍ରମୁଖ୍ୟଙ୍କ ସହ ଫୋନରେ କଥା ହୋଇଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରପତି ବାଇଡେନ ଇସ୍ରାଏଲ ଏବଂ ଏହାର ଜନସାଧାରଣଙ୍କ ପ୍ରତି ଆମେରିକାର ଏକତା ଏବଂ ସମର୍ଥନକୁ ଦୋହରାଇଛନ୍ତି। ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ପ୍ରତିଶୃତିବଦ୍ଧ ବୋଲି ସେ କହିଛନ୍ତି। ସେପଟେ ଏନେଇ ଇରାନ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

Breaking News