Report Card Odisha

| Daily Odia News

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାର ଆସିଲା ଖାଦ୍ୟ ନମୂନା ରିପୋର୍ଟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

କନ୍ଧମାଳ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ପରେ ଯେଉଁ ଖାଦ୍ୟ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା, ତାର ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଲାବୋରେଟୋରୀ ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଛି ଯେ, ଖାଦ୍ୟ ବିଷାକ୍ତ ହେବାର କାରଣ ମାରାତ୍ମକ H2S ଅର୍ଥାତ ହାଇଡ୍ରୋଜେନ୍‌ ସଲଫାଇଡ୍‌। ତେବେ ଅନୁସନ୍ଧାନରୁ ଜାଣିବାକୁ ପାଇଲୁ ଯେ, ଖାଦ୍ୟ କିମ୍ବା ପାଣିରେ ହାଇଡ୍ରୋଜେନ୍‌ ସଲଫାଇଡର ମାତ୍ରା ଏହାକୁ ବିଷାକ୍ତ କରିପକାଏ। ସେହିପରି ଲାବୋରେଟୋରୀ ପରୀକ୍ଷାରୁ ଫିକାଲ କଣ୍ଟାମିନେସନ୍ ମଧ୍ୟ ଜଣାପଡ଼ିଛି। ମଣିଷ କିମ୍ବା ପଶୁଙ୍କ ମଳ ଡି-କମ୍ପୋଜ ହୋଇଯିବା ପରେ ଏଥିରୁ ବିଷାକ୍ତ ଏସିଡ୍‌ ନିର୍ଗତ ହୁଏ। ଯାହା ଖାଦ୍ୟ ଓ ପାଣିରେ ମିଶି ଶରୀରକୁ ଗଲେ ଫିକାଲ କଣ୍ଟାମିନେସନର ଆଶଙ୍କା ବଢ଼ିଯାଏ। ବରିଷ୍ଠ ଚିକିତ୍ସକଙ୍କ ମତରେ ଏହା ଫୁସଫୁସ ଓ ମସ୍ତିସ୍କକୁ ନିଷ୍କ୍ରିୟ କରିଦେଇପାରେ। ଫଳରେ ମଣିଷର ମୃତ୍ୟୁ ହୁଏ। କନ୍ଧମାଳ ମାଣ୍ଡିପଙ୍କାରେ ଲୋକେ ଯେଉଁ ବାସି ମାଣ୍ଡିଆ ଯାଉ ଓ ପଖାଳ ଖାଇଥିଲେ ସେଥିରେ ଏସବୁ ଉପାଦାନ ମିଳିବା ପରେ ଏକ ସାଙ୍ଘାତିକ ଦିଗ ସାମ୍ନାକ ଆସିଛି। କୁହାଯାଉଛି କନ୍ଧମାଳର ପାରମ୍ପରିକ ଆମ୍ବ ଟାକୁଆ ଜାଉରେ ଏକାଧିକ ପୁଷ୍ଟିକର ତତ୍ୱ ରହିଛି। ହେଲେ ଏହାକୁ ଦୀର୍ଘଦିନ ଧରି ରଖି ଖାଇବା ପରେ ବିଷକ୍ରିୟା ହୋଇଥାଇପାରେ। ଏପରିକି ସେମାନେ ପଖାଳ ପାଇଁ ବ୍ୟବହାର କରିଥିବା ପାଣିକୁ ବିଶୋଧନ କରି କିମ୍ବା ଫୁଟାଇ ବ୍ୟବହାର ନକରିବା ଫଳରେ ପେଟ ଖରାପ, ବାନ୍ତି, ତଳିପେଟରେ ଯନ୍ତ୍ରଣା ଓ ଡାଇରିଆ ଭଳି ସମସ୍ୟା ଦେଖାଦେଇଥିଲା। ନିଶ୍ବାସ ପ୍ରଶ୍ବାସ ନେବାରେ ଯନ୍ତ୍ରଣା ହେବା ସହ ଗୁରୁତର ହୋଇପଡ଼ିଥିଲେ। ତେବେ ପୁଣି ରାଜ୍ୟ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଅପବାଦ ମୁଣ୍ଡାଇବା ପରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଶାସକ-ବିରୋଧୀ। ଅନ୍ୟପଟେ ଲାବ୍ରୋଟୋରୀ ରିପୋର୍ଟରୁ ଏଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିବା ପରେ ଅଧିକ ଅନୁଧ୍ୟାନ ପାଇଁ ଆକ୍ସନ ଟେକେନ ରିପୋର୍ଟ ଦିଲ୍ଲୀ ପଠାଯାଇଛି । ଏହାରି ଭିତରେ କନ୍ଧମାଳ ସିଡିଏମଓ ମଧ୍ୟ ସ୍ୱାସ୍ଥ୍ୟ ବିଭାଗକୁ ତଦନ୍ତ ରିପୋର୍ଟ ପ୍ରଦାନ କରିସାରିଛନ୍ତି। କଥା ହେଉଛି ରାଜନୈତିକ ବୟାନବାଜି ଓ ପରସ୍ପର ବିରୋଧରେ ଦୋଷ ଲଦାଲଦି ଭିତରେ କନ୍ଧମାଳ ମୁଣ୍ଡରୁ ଏ ଅପବାଦର ଟୀକା କେବେ ଲିଭିବ ତାକୁ ହିଁ ଅପେକ୍ଷା କରାଯାଇଛି ।

Breaking News