Report Card Odisha

| Daily Odia News

କମିଶନରେଟ ପୋଲିସ କଲା କନଭଏ ପାଟ୍ରୋଲିଂ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀରେ ଅପରାଧିଙ୍କ ପାଇଁ କୌଣସି ସ୍ଥାନ ନାହିଁ। କାରଣ ଏପରି କିଛି କାଣ୍ଡ ଘଟାଇଲେ ଗୋଡ଼ାଇ ଗୋଡ଼ାଇ ବାନ୍ଧିବ ପୋଲିସ । କାହାକୁ ବି ଛାଡ଼ିବନି।’ ଅପରାଧିଙ୍କୁ ଏପରି ଭାବେ କଡ଼ା ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ । ଗତ ରାତିରେ ରାଜଧାନୀ ରାଜରାସ୍ତାରେ କନଭଏ ପାଟ୍ରୋଲିଂ କରିଥିଲା କମିଶନରେଟ ପୋଲିସ । ପୋଲିସ କମିଶନରଙ୍କ ସହ ଅତିରିକ୍ତ କମିଶନର, ଡିସିପି, ସମସ୍ତ ଏସିପି ଓ ଥାନା ଅଧିକାରୀ ବି ଏଥିରେ ସାମିଲ ହୋଇଥିଲେ। ବିଭିନ୍ନ ସ୍ଥାନରେ ବ୍ଲକିଂ, ଚେକିଂ ସହ ଚାଲିଥିଲା କଡ଼ାକଡ଼ି ଯାଞ୍ଚ । ପୂର୍ବରୁ କମିଶନରେଟ ପୋଲିସର ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ, ଡ୍ରଙ୍କ ଆଣ୍ଡ ଡ୍ରାଇଭ ଚେକିଂ ତଥା ଖାଲି ଚେକିଂ ଚାଲୁଥିବା ବେଳେ ଏବେ ଆରମ୍ଭ ହୋଇଛି କନଭଏ ପାଟ୍ରୋଲିଂ । ବିଭିନ୍ନ ଥାନା ସହ ସଂଯୋଗ ରଖି ସଙ୍ଗଠିତ ଭାବେ ଆରମ୍ଭ ହୋଇଛି ଏହି ବଡ଼ ଧରଣର ଚେକିଂ। ଏହାଦ୍ୱାରା ରାଜଧାନୀକୁ ଅପରାଧମୁକ୍ତ କରିହେବ ବୋଲି କହିଛି କମିଶନରେଟ ପୋଲିସ । ଏନେଇ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ କହିଛନ୍ତି, ଅପରାଧକୁ ନିୟନ୍ତ୍ରଣ କରିବା ନିମନ୍ତେ ପୋଲିସ ସବୁବେଳେ ସଜାଗ ରହିଛି। ୟୁନିଫର୍ମ ହେଉ ବା ବିନା ୟୁନିଫର୍ମରେ ପୋଲିସ ପାଟ୍ରୋଲିଂ କରୁଛି। ବେଳେ ବେଳେ ବିଭିନ୍ନ ଥାନା ସହ ସଂଯୋଗ ରଖାଯାଇ ଏପରି ବଡ଼ ଧରଣର ବ୍ଲକିଂ ଓ ଚେକିଂ କରାଯାଉଛି। ଆଗକୁ ନିୟମିତ ବ୍ୟବଧାନରେ ଏପରି କରାଯିବ । ଏଥିସହ ରାଜଧାନୀରେ ଅପରାଧକୁ ପ୍ରଶୟ ଦିଆଯିବନି। କି କୌଣସି ଅପରାଧିଙ୍କୁ ହାଲକା ଭାବେ ନିଆଯିବନି। ଯେକୌଣସି ଅପରାଧ କଲେ ଗୋଡ଼ାଇ ଗୋଡ଼ାଇ ବାନ୍ଧିବୁ ବୋଲି କହିଛନ୍ତି ପୋଲିସ କମିଶନର। ଏଥିସହ ଡିସିପି ପିନାକ ମିଶ୍ର କହିଛନ୍ତି ରାଜଧାନୀରେ ସୁସ୍ଥ ଓ ସୁରକ୍ଷିତ ବାତାବରଣ ପାଇଁ ଆମେ ଏପରି ପଦକ୍ଷେପ ନେଉଛୁ। ରୀତିମତ ଭାବେ ଏପରି କନଭଏ ପାଟ୍ରୋଲିଂ କରାଯିବ । ଅପରାଧକୁ ନିୟନ୍ତ୍ରଣକୁ ଆଣିବାକୁ, ବିଶୃଙ୍ଖଳାକୁ ବନ୍ଦ କରିବା ତଥା ରାଜଧାନୀବାସୀଙ୍କୁ ସୁରକ୍ଷିତ ବାତାବରଣ ଯୋଗାଇ ଦେବାକୁ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା। ଅପରାଧିଙ୍କ ପ୍ରତି ଜିରୋ ଟଲରାନ୍ସ ନୀତି ଆପଣାଯିବ । ଏବେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବୁ ବୋଲି କହିଛନ୍ତି ଡିସିପି।

Breaking News