ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରରେ ଲାଗି ରହିଥିବା ଜାତିଆଣ ହିଂସାକୁ ନେଇ ଶାସକ ବିଜେପିରେ ବିଭାଜନ ହୋଇଛି। ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ମଙ୍ଗଳବାର ରାତିରେ ଡକାଇଥିବା ବୈଠକରେ ବିଜେପିର ୧୯ ବିଧାୟକ ଅନୁପସ୍ଥିତ ରହିବା ପରେ ଏହି ବିଭାଜନ ଜଣାପଡିଛି। ରାଜ୍ୟରେ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ବର୍ଷାଧିକ କାଳ ହିଂସା ଲାଗି ରହିଛି। ଏହି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଡକାଇଥିବା ବୈଠକରେ ମୈତେଇ ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରୁଥିବା ବିଧାୟକମାନେ ଯୋଗ ଦେଇନାହାନ୍ତି। ବୈଠକରେ ଅନୁପସ୍ଥିତ ରହିଥିବା ବିଧାୟକଙ୍କ ମଧ୍ୟରୁ କେତେକ ମନ୍ତ୍ରୀ ଥିବାବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନୋଟିସ ଜାରି କରିଛନ୍ତି। ହିଂସା ସହିତ ସରକାରରୁ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)ର ସମର୍ଥନ ପ୍ରତ୍ୟାହାର ସମ୍ପର୍କରେ ଆଲୋଚନା ଲାଗି ମୁଖ୍ୟମନ୍ତ୍ରୀ ବୈଠକ ଡକାଇଥିଲା। ବୈଠକ ସମ୍ପର୍କରେ ରବିବାର ବିଜେପି ବିଧାୟକଙ୍କୁ ସୂଚନା ଦିଆଯାଇଥିଲା। ବୈଠକକୁ ବିଜେପି ସହିତ ସହଯୋଗୀ ଦଳ ନାଗା ପିପୁଲ୍ସ ଫ୍ରଣ୍ଟ, ଜେଡିୟୁ ଓ ତିନି ସ୍ବାଧୀନ ବିଧାୟକଙ୍କୁ ଡକାଯାଇଥିଲା। ବୈଠକରେ ଏନପିପିର ମଧ୍ୟ ତିନିଜଣ ବିଧାୟକ ଯୋଗ ଦେଇଥିଲେ। ବୈଠକରେ ମୈତେଇ ସମ୍ପ୍ରଦାୟର ୬ଜଣଙ୍କୁ ହତ୍ୟା କରାଯିବା ଘଟଣାକୁ ମୁଖ୍ୟମନ୍ତ୍ରୀ ନିନ୍ଦା କରିଥିଲେ। ମଣିପୁର ହିଂସାକୁ ନେଇ ବିଜେପିରେ ବିଭାଜନ ହୋଇଥିବାବେଳେ କଂଗ୍ରେସ ଦଳ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି। ପ୍ରଦେଶ କଂଗ୍ରେସ ସଭାପତି କେ ମେଘାଚନ୍ଦ୍ର ସିଂହ କହିଛନ୍ତି ଯେ ମଣିପୁର ହିଂସାକୁ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ ହୋଇଛି। ଅନ୍ୟପଟେ ହିଂସାକୁ ନେଇ ଲାଗୁ ହୋଇଥିବା କର୍ଫ୍ୟୁକୁ ଆଂଶିକ ପ୍ରତ୍ୟାହାର କରାଯାଇଛି। ପୂର୍ବ ଇମ୍ଫାଲ, ପଶ୍ଚିମ ଇମ୍ଫାଲ ଓ କାକଚିଙ୍ଗ ଜିଲାରୁ ବୁଧବାର ସକାଳ ୫ଟାରୁ ୧୦ଟା ପର୍ୟ୍ୟନ୍ତ କର୍ଫ୍ୟୁକୁ ଉଠାଇ ଦିଆଯାଇଛି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାର ସୁଯୋଗ ଦେବା ଲାଗି କର୍ଫ୍ୟୁକୁ ଆଂଶିକ ଉଠାଇ ଦିଆଯାଇଛି। ସେହିପରି ବ୍ରଡବ୍ୟାଣ୍ଡ ବ୍ଲାକଆଉଟ୍କୁ ସର୍ତ୍ତଭିତ୍ତିକ ଉଠାଇ ଦିଆଯାଇଛି।
More Stories
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..
ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା….
୧୭ ହଜାର ହ୍ୱାଟସ୍ଆପ୍ ଆକାଉଣ୍ଟ ବ୍ଲକ୍…..