Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ତାଙ୍କର ବିଧାୟକଙ୍କୁ ବିଶ୍ୱାସ କରନ୍ତି ନାହିଁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳର ୧୦ ଦିନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନାହିଁ ବିଜେପି। ଏନେଇ ଆମ ଆଦମୀ ପାର୍ଟିର ବିଧାୟକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶୀ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀ ନିର୍ବାଚନର ଫଳାଫଳ ଘୋଷଣା ହେବାର ୧୦ଦିନ ବିତିଗଲାଣି କିନ୍ତୁ ବିଜେପି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ସମ୍ପର୍କରେ ନିଷ୍ପତ୍ତି ନେଇପାରି ନାହିଁ। ଦିଲ୍ଲୀବାସୀ ଆଶା କରିଥିଲେ ଯେ ବିଜେପିର ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ସେମାନଙ୍କ ପାଇଁ କାମ କରିବା ଆରମ୍ଭ କରିବେ। ହେଲେ ତାହା ଏପର୍ଯ୍ୟନ୍ତ ହୋଇନାହିଁ। ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଅତିଶୀ ବିଜେପି ଉପରେ କଟାକ୍ଷ କରି କହିଛନ୍ତି ଯେ, “ଦିଲ୍ଲୀ ନିର୍ବାଚନର ଫଳାଫଳ ଘୋଷଣା ହେବାର ୧୦ ଦିନ ହୋଇଗଲାଣି। ଆଜି ୧୭ ତାରିଖ। ଦିଲ୍ଲୀବାସୀ ଆଶା କରୁଥିଲେ ଯେ ଭାରତୀୟ ଜନତା ପାର୍ଟି ୯ ତାରିଖରେ ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଏବଂ ୧୦ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହା ପରେ ଦିଲ୍ଲୀବାସୀଙ୍କ ପାଇଁ କାମ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ। କିନ୍ତୁ ଦିଲ୍ଲୀବାସୀଙ୍କ ଅପେକ୍ଷାର ଅନ୍ତ ହୋଇପାରିନାହିଁ। ୪୮ ଜଣ ବିଧାୟକଙ୍କର ଏକମାତ୍ର କାମ ହେଉଛି ଦିଲ୍ଲୀର ଲୋକମାନଙ୍କୁ ଲୁଟିବା ଏବଂ ଦିଲ୍ଲୀର ଟଙ୍କା ନିଜ ନିଜ ମଧ୍ୟରେ ବାଣ୍ଟିବା। ଦିଲ୍ଲୀରେ ସରକାର ଚଳାଇବା ପାଇଁ, ତାଙ୍କ ପାଖରେ ଏପରି ଜଣେ ବି ବ୍ୟକ୍ତି ନାହାନ୍ତି ଯାହାକୁ ସେ ଚୟନ କରି ମୁଖ୍ୟମନ୍ତ୍ରୀ କରିପାରିବେ।” ସେ ଆହୁରି କହିଛନ୍ତି, “ପ୍ରଧାନମନ୍ତ୍ରୀ ତାଙ୍କର ୪୮ଜଣ ବିଧାୟକଙ୍କ ମଧ୍ୟରୁ କାହାକୁ ମଧ୍ୟ ବିଶ୍ୱାସ କରନ୍ତି ନାହିଁ। ସେ ଜାଣନ୍ତି ଯେ ଏହି ୪୮ଜଣ ବିଧାୟକଙ୍କ ମଧ୍ୟରୁ ଜଣେ ବି ସରକାର ଚଳାଇବାର କ୍ଷମତା ରଖନ୍ତି ନାହିଁ। ଯଦି କେହି ମୁଖ୍ୟମନ୍ତ୍ରୀ ହେବାକୁ ସକ୍ଷମ ନୁହଁନ୍ତି, ତେବେ ଦିଲ୍ଲୀକୁ କିପରି ଚଳାଇବେ? ଦିଲ୍ଲୀବାସୀଙ୍କ ପାଇଁ ତାଙ୍କର କୌଣସି ଦୃଷ୍ଟିକୋଣ ନାହିଁ।”

Breaking News