ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆକ୍ସିଅମ୍-୪ ଅଭିଯାନରେ ମହାକାଶକୁ ଯାଇଥିବା ଭାରତର ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ମହାକାଶଚାରୀଙ୍କ ସହ ମଙ୍ଗଳବାର ପୃଥିବୀ ପୃଷ୍ଠକୁ ଫେରିବେ ବୋଲି ଜଣାପଡିଛି। ଚାରି ମହାକାଶଚାରୀଙ୍କୁ ନେଇ ଆସୁଥିବା ଡ୍ରାଗନ କ୍ୟାପସୁଲ ସୋମବାର ଆଇଏସ୍ଏସ୍ (ଆନ୍ତର୍ଜାତିକ ମହାକାଶ ଷ୍ଟେସନ)ରୁ ବିଚ୍ଛିନ୍ନ ହୋଇ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିଛି। ଦୀର୍ଘ ୨୨ ଘଣ୍ଟାର ଯାତ୍ରା ପରେ ଡ୍ରାଗନ କ୍ୟାପସୁଲ ମଙ୍ଗଳବାର ଭାରତୀୟ ସମୟ ଅପରାହ୍ଣ ୩ଟା ସମୟରେ ଆମେରିକାର କାଲିଫର୍ଣ୍ଣିଆ ଊପକୂଳରେ ଜଳାବତରଣ କରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ସୋମବାର ଅପରାହ୍ଣ ୨ଟା ୩୭ ମିନିଟ ସମୟରେ ଶୁୁଭାଂଶୁ ଓ ଅନ୍ୟ ତିନି ମହାକାଶଚାରୀ ସେମାନଙ୍କର ସ୍ପେସ୍ ସୁଟ୍ ପରିଧାନ କରି ଡ୍ରାଗନ କ୍ୟାପସୁଲରେ ପ୍ରବେଶ କରିଥିଲେ। ସବୁ କିଛି ଯାଞ୍ଚ କରାଯିବାପରେ ଏହାକୁ ଆଇଏସ୍ଏସ୍ରୁ ବିଚ୍ଛିନ୍ନ କରାଯାଇଥିଲା। ରବିବାର ଆକ୍ସିଅମ୍-୪ ଅଭିଯାନର ଏହି ଚାରି ମହାକାଶଚାରୀଙ୍କୁ ଆଇଏସ୍ଏସ୍ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଶୁଭାଂଶୁ କହିଛନ୍ତି ଯେ ଆମେ ସମସ୍ତେ ବିଶ୍ବର ବିଭିନ୍ନ ଦେଶକୁ ପ୍ରତିନିଧିତ୍ବ କରୁଥିଲେ ସୁଦ୍ଧା ଆମର ଏକମାତ୍ର ଲକ୍ଷ୍ୟ ହେଉଛି ମହାକାଶକୁ ଆସି ଏକାଧିକ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ଜରିଆରେ ମାନବ ସମାଜର କଲ୍ୟାଣ କରିବା।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..