Report Card Odisha

| Daily Odia News

ଶେଷ ଯାତ୍ରାରେ ବଳଙ୍ଗା ପୀଡ଼ିତା……

ରିପୋର୍ଟ କାର୍ଡ / ବଳଙ୍ଗା

ସଂଘର୍ଷ ପରେ ଜୀବନ ଯୁଦ୍ଧରେ ବଳଙ୍ଗା ପୀଡ଼ିତା ହାରି ଯାଇଛନ୍ତି। ରବିବାର ଦିଲ୍ଲୀ ଏମ୍‌ସରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପାର୍ଥିବ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଦିଲ୍ଲୀରୁ ରବିବାର ରାତିରେ ଭୁବନେଶ୍ବର ବିମାନବନ୍ଦରରେ ମରଶରୀର ପହଞ୍ଚିିବା ପରେ ବିଏମ୍‌ସିର ମହାପ୍ରୟାଣ ଗାଡ଼ିରେ ମରଶରୀରକୁ କଡ଼ା ସୁରକ୍ଷା ବଳୟରେ ତାଙ୍କ ପୁରୀ ଜିଲ୍ଲ ବଳଙ୍ଗା ଥାନା ଅନ୍ତର୍ଗତ ବାୟାବରର ନୂଆଗୋପାଳପୁର ଗଁାକୁ ନିଆଯାଇଥିଲା। ସୋମବାର ସକାଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ରୀତିନୀତି ଅନୁଯାୟୀ ନାବାଳିକାଙ୍କୁ କବର ଦିଆଯିବ ବୋଲି ବିଜେପି ନେତା ସମୀର ରଞ୍ଜନ ଦାଶ କହିଛନ୍ତି। ମରଶରୀର ଗଁାରେ ପହଞ୍ଚିବା ପରେ ସେଠାରେ ରାତିସାରା କୋରାନ୍‌ ପାଠ କରାଯାଉଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ପୁରୀ ଏସ୍‌ପି ପିନାକ ମିଶ୍ର ସ୍ଥିତି ଉପରେ ନଜର ରଖିଛନ୍ତି। ବାୟାବର ଗଁା ଓ ସ୍ଥାନୀୟ ଥାନାରେ ପୁଲିସ ଛାଉଣୀ ସହ ହାଇଆଲର୍ଟ ଜାରି କରାଯାଇଛି। ଘଟଣାସ୍ଥଳରେ ଉପଜିଲ୍ଲାପାଳ ରାଜକିଶୋର ଜେନା, ତହସିଲଦାର ମନୋଜ ପ୍ରଧାନ, ବିଡିଓ ଡ. ଅଭିଜିତ ଷଡ଼ଙ୍ଗୀ ଓ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ରାତିସାରା ପୋଲିସ ସେଠାରେ ଜଗି ରହିବା ସହ ଗଁାରେ ୨ ପ୍ଲାଟୁନ ପୋଲିସ ଫୋର୍ସ ପଇଁତରା ମାରୁଛନ୍ତି। ରାତି ୧୦.୩୦ରେ ମରଶରୀର ପହଞ୍ଚିବା ପରେ ବିମାନ ବନ୍ଦରରେ ଶେଷଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଦେବା ଲାଗି ନେତାଙ୍କ ଗହଳି ଲାଗି ରହିଥିଲା। ‌ବିମାନବନ୍ଦର ବାହାରେ ସୁରକ୍ଷା ଦୃଷ୍ଟିରୁ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପରେ କାର୍‌କେଡ୍‌ରେ ମରଶରୀରକୁ ବଳଙ୍ଗା ବାୟାବର ଗାଁ ଅଭିମୁଖେ ନିଆଯାଇଥିଲା। ରାତି ୧୨ଟାରେ ମରଶରୀର ଗଁାରେ ପହଞ୍ଚିଥିଲା। ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ଡିସିପି ଜଗମୋହନ ମୀନାଙ୍କ ସୂଚନା ଅନୁଯାୟୀ, ବ୍ୟାପକ ପୋଲିସ ଫୋର୍ସ ସହ କାରକେଡ୍‌ ବନ୍ଦୋବସ୍ତ କରାଯାଇଥିଲା। ଜଣେ ଅତିରିକ୍ତ ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ମରଶରୀର ନିଆଯାଇଥିଲା। ଏଥିରେ ଏସିପି, ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ନିୟୋଜିତ ଥିଲେ। ରୁଟ୍‌ଲାଇନିଂ ଉପରେ ଅଧିକ ଗୁରୁତ୍ବ ଦିଆଯିବା ସହ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଥିଲା।ବିମାନବନ୍ଦରରେ ଶେଷଦର୍ଶନ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଜେପି ନେତା ସମୀର ଦାଶ, କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ବିଜେଡି ନେତା ଉମା ସାମନ୍ତରାୟ ଓ ସଞ୍ଜୟ ଦାସବର୍ମା, ଲେଖାଶ୍ରୀ ସାମନ୍ତସିଂହାର, ରୁଦ୍ର ମହାରଥୀ ପ୍ରମୁଖ ଉପସ୍ଥିତ ଥିଲେ। ପୀଡ଼ିତାଙ୍କ ଗଁାରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପହଞ୍ଚି ଶେଷଦର୍ଶନ କରିଥିଲେ। ନାବାଳିକାଙ୍କୁ ଗାଁ କବରିସ୍ତାନରେ କବର ଦିଆଯିବ। ତାଙ୍କ ମୃତଦେହ ଓଡ଼ିଶା ଆଣିବାରେ ସବୁ ପ୍ରକାର ବନ୍ଦୋବସ୍ତ ଓ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ପୀଡ଼ିତା ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ମୃତ ଶରୀରକୁ କବର ଦିଆଯିବ।

Breaking News