ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ କମିସନ(ଇସି)ଙ୍କ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। ସେପ୍ଟେମ୍ବର ୯ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଇସି ପୂର୍ବରୁ ଘୋଷଣା କରିସାରିଛନ୍ତି। ବର୍ତ୍ତମାନ ବିଜ୍ଞପ୍ତି ଜାରି ହେବାପରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ ଅଗଷ୍ଟ ୨୧କୁ ଧାର୍ଯ୍ୟ କରାଯାଇଛି। ଅଗଷ୍ଟ ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯାଉଥିବାବେଳେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ଅଗଷ୍ଟ ୨୫କୁ ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ୯ରେ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡିଛି।ତେବେ ଉପରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଚଳିତମାସ ୧୨ ସୁଦ୍ଧା ବିଜେପି ନେତୃତ୍ବାଧୀନ ଏନଡିଏ ପ୍ରାର୍ଥୀ ଘୋଷଣା କରାଯିବ। ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ବରେ ଏନଡିିଏର ବୈଠକ ଅନୁଷ୍ଠିତ ହୋଇ ଏ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଜେ.ପି.ନଡ୍ଡାଙ୍କୁ ଏନଡିଏ ପ୍ରାର୍ଥୀ ମନୋନୟନ ଦାୟିତ୍ବ ଦିଆଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସହମତି ଭିତ୍ତିରେ ଉପରାଷ୍ଟ୍ରପତି ନିର୍ବାଚନ କରିବାକୁ ବିରୋଧୀ ଦଳଙ୍କ ସହ କୌଣସି ଆଲୋଚନା ହୋଇଛି କି ନାହିଁ ବୋଲି ପ୍ରଶ୍ନ ହେବାରୁ ରିଜିଜୁ ଏହାକୁ ଖଣ୍ଡନ କରିଛନ୍ତି। ଯଦି ବିରୋଧୀ ଦଳ କୌଣସି ଆଲୋଚନା ପାଇଁ ଆସନ୍ତି, ତେବେ ଏନଡିଏ ଏଥିପାଇଁ ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ଗୁରୁବାର ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଜେଡିୟୁର ଲଲନ ସିଂହ, ଶିବସେନା (ସିନ୍ଦେ ଗୋଷ୍ଠୀ)ର ଶ୍ରୀକାନ୍ତ ସିନ୍ଦେ, ତେଲୁଗୁ ଦେଶମ୍ର ଶ୍ରୀକୃଷ୍ଣ ଦେବରାୟାଲୁ ଏବଂ ଏଲଜେପି (ରାମବିଳାସ ଗୋଷ୍ଠୀ)ର ଚିରାଗ ପାଶୱାନ ପ୍ରମୁଖ ଉପସ୍ଥିତ ଥିଲେ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..