Report Card Odisha

| Daily Odia News

ଆସନ୍ତା ୨୪ଘଣ୍ଟା ଅତି ପ୍ରବଳ ବର୍ଷା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ୨୪ଘଣ୍ଟା ମଧ୍ୟରେ ଘନୀଭୂତ ହେବା ସହ ପରବର୍ତ୍ତୀ ୨୪ଘଣ୍ଟାରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବା ସମ୍ଭାବନା ରହିଛି। ଦୁଇଦିନ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ବର ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ରାଜଧାନୀର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ ୨୨୫.୧ମି.ମି. ବର୍ଷା ରେକର୍ଡ଼ ହୋଇଛି। ଘସିପୁରାରେ ୧୩୦.୩ ଏବଂ ଆନନ୍ଦପୁରରେ ୧୦୩.୪ ମି.ମି. ବର୍ଷା ହୋଇଛି। ବାଲେଶ୍ବରରେ ୧୩୩.୮ମି.ମି., ଗୋବିନ୍ଦପୁରରେ ୧୨୩.୨, ରେମୁଣା ୯୧, ବାହାନଗା ୬୦ ଏବଂ ଭୋଗରାଇରେ ୫୯ ମି.ମି. ବର୍ଷା ହୋଇଛି। କଳାହାଣ୍ଡି ଜିଲ୍ଲାର ଥୁଆମୂଳ-ରାମପୁରରେ ୧୨୫ମି.ମି. ବର୍ଷା ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଚିଲିକା ୯୦, ଭଦ୍ରକ ଜିଲାର ଆଖୁଆପଦା ୭୦.୪, ଗଞ୍ଜାମ ଜିଲାର ବ୍ରହ୍ମପୁର ୬୪.୮ ଏବଂ ବାରିପଦାରେ ୫୯ ମି.ମି. ବର୍ଷା ହୋଇଛି।ବାଲେଶ୍ବର ସହରରେ ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କ ଘରେ ପାଣି ପଶିଥିଲା। ମଙ୍ଗଳବାର ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଭୁବନେଶ୍ବରରେ ବର୍ଷା ଲାଗି ରହିଥିଲା। ରାଜଧାନୀର ୪୫.୧ମି.ମି. ବର୍ଷା ହୋଇଥିବା ବେଳେ କୋରାପୁଟ ୪୧.୫, ଛାତ୍ରପୁର ୪୬.୬, ପାରଳାଖେମୁଣ୍ଡି ୩୯, ଫୁଲବାଣୀ ୨୮ ଏବଂ କଟକରେ ୧୧.୮ମି.ମି. ବର୍ଷା ହୋଇଛି। ଦୁଇଦିନ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ, ବ୍ରାହ୍ମଣୀ, ବୈତରଣୀ ଏବଂ ଜଳକା ଫୁଲିବାରେ ଲାଗିଛି। ରାଜ୍ୟରେ ପ୍ରବଳ ବର୍ଷା ସତ୍ତ୍ବେ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ପାଢ଼ୀ କହିଛନ୍ତି, ଆଜି ରେକର୍ଡ ହୋଇଥିବା ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବ। ଗତକାଲି ସୁବର୍ଣ୍ଣରେଖା ଅବବାହିକାରେ ୨୦.୯୭ମି.ମି. ବର୍ଷା ହୋଇଥିବାବେଳେ ବୁଢ଼ାବଳଙ୍ଗରେ ୪୩.୭ମି.ମି. ଏବଂ ବୈତରଣୀରେ ୩୦.୬୫ମି.ମି. ବର୍ଷା ହୋଇଛି। ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇବା ସମ୍ଭାବନା ରହିଛି। ହୀରାକୁଦର ଜଳସ୍ତର ୬୨୬.୩୧ ଫୁଟ, ରେଙ୍ଗାଲିର ୧୨୨.୭୩ ମିଟର ଜଳ ଅଛି। କେନ୍ଦୁଝର ହାଟଡିହି ଓ ଘସିପୁରା ବାଲେଶ୍ୱର ସହରରେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପ ପ୍ରଭାବରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, କୋରାପୁଟ, ବଲାଙ୍ଗିର ଏବଂ ନୂଆପଡ଼ା ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ଅପରପକ୍ଷରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଉତ୍ତର-ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳ ସମୁଦ୍ରରେ ଘଣ୍ଟା ପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିପାରେ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀ ସମୁଦ୍ର ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ ଜିଲାର ଜିଲାପାଳମାନେ ସତର୍କ ରହିବାକୁ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Breaking News