Report Card Odisha

| Daily Odia News

ୟୁକ୍ରେନ ମନ୍ତ୍ରିମଣ୍ଡଳ କୋଠା ଉପରେ ଆକ୍ରମଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ରବିବାର ତୀବ୍ର ହୋଇଛି। ଉଭୟ ପରସ୍ପର ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ୟୁକ୍ରେନ ଉପରକୁ ରୁଷ୍‌ ୮୦୫ଟି ଡ୍ରୋନ ଓ ୧୩ଟି କ୍ଷେପଣାସ୍ତ୍ର ମାଡ କରିଛି। ରୁଷ୍‌ର କ୍ଷେପଣାସ୍ତ୍ର ମାଡରେ ରାଜଧାନୀ କିଭ୍‌ସ୍ଥିତ ୟୁକ୍ରେନର ମନ୍ତ୍ରିମଣ୍ଡଳ କୋଠା (କ୍ୟାବିନେଟ୍ ବିଲ୍ଡିଂ) ନଷ୍ଟ ହୋଇଛି। ବିଲ୍ଡିଂର ଉପର ମହଲା ଓ ଛାତ ନଷ୍ଟ ହୋଇଛି। ଏହି ଆକ୍ରମଣରେ ଜଣେ ଏକବର୍ଷର ଶିଶୁ ସହିତ ୩ଜଣଙ୍କର ମୃତ୍ୟୁ ହୋଇଛି। ଆକ୍ରମଣ ସମ୍ପର୍କରେ ୟୁକ୍ରେନ ପ୍ରଧାନମନ୍ତ୍ରୀ ୟୁଲିଆ ସିରିଡେନକୋ ସ୍ପଷ୍ଟ କରିଛନ୍ତି। ସିରିଡେନକୋ କହିଛନ୍ତି ଯେ ପ୍ରଥମ ଥର ପାଇଁ ରୁଷ୍ ଆମର ସରକାରୀ କୋଠା ଉପରେ ଆକ୍ରମଣ କରିଛି। ଆକ୍ରମଣରେ ନଷ୍ଟ ହୋଇଥିବା କୋଠାକୁ ପୁନଃନିର୍ମାଣ କରାଯାଇପାରିବ; ମାତ୍ର ଜୀବନ ହାନିକୁ ଫେରାଇ ଅଣାଯାଇପାରିବ ନାହିଁ। ରୁଷ୍‌ର ଏପରି ଆକ୍ରମଣ ଉପରେ ଜବାବ ଦେବାକୁ ୟୁକ୍ରେନ ଏହାର ସହଯୋଗୀ ପାଶ୍ଚାତ୍ୟ ରାଷ୍ଟ୍ରସମୂହକୁ କହିଛି। କିଭ୍ ସାମରିକ ପ୍ରଶାସନ ମୁଖ୍ୟ ତଇମୁର ଟାଚେନକୋ କହିଛନ୍ତି ଯେ ରୁଷ୍ ଉଦ୍ଦେଶ୍ୟମୂଳକ ଭାବେ ସାଧାରଣ ଜନତାଙ୍କ ଉପରେ ଆକ୍ରମଣ କରୁଛି। କ୍ୟାବିନେଟ ବିଲ୍ଡିଂ ବ୍ୟତୀତ ୟୁକ୍ରେନର ଅନ୍ୟ କେତେକ ସହର ଉପରେ ରୁଷ୍ ଆକ୍ରମଣ କରିବାରୁ ବ୍ୟାପକ କ୍ଷତି ହୋଇଛି। କ୍ରେମେନଚୁକ୍ ସହର ଉପରେ ଏକାଧିକ ବିସ୍ଫୋରଣ ହୋଇଛି। ଏହାଦ୍ବାରା ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ରାଷ୍ଟ୍ରପତି ଭୋଲଡେମିର ଜେଲେନସ୍କିଙ୍କ ହୋମ୍ ଟାଉନ୍‌ କ୍ରିଭିରିହ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଏଠାରେ ପରିବହନ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ରୁଷ୍‌ର ଆକ୍ରମଣ ଯୋଗୁଁ ବିଭିନ୍ନ ସ୍ଥାନରେ କୋଠାବାଡି ନଷ୍ଟ ହେବା ସହିତ ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବାହିନୀ ଓ ଜରୁରୀ ସେବା ବାହିନୀ ସାରା ରାତି କାର୍ଯ୍ୟ କରିଥିଲେ।ରବିବାର ରାତିରେ ରୁଷ୍‌ ଆକ୍ରମଣ କରିବାର କିଛି ଘଣ୍ଟା ପରେ ୟୁକ୍ରେନ ଏହାର ଜବାବ ଦେଇଥିଲା। ଜବାବ ପୂର୍ବକ ରୁଷ୍‌ର ତୈଳ ପାଇପ୍‌ ଲାଇନ ଉପରେ ୟୁକ୍ରେନ ଆକ୍ରମଣ କରିଥିଲା। ବ୍ରିୟାନ୍କସ୍ଥିତ ଡ୍ରୁଝବା ତୈଳ ପାଇପ୍‌ ଉପରେ ୟୁକ୍ରେନ ଆକ୍ରମଣ କରିବାରୁ ହଙ୍ଗେରୀ ଓ ସ୍ଲୋଭାକିଆକୁ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ୟୁରୋପୀୟ ୟୁନିୟନର କଟକଣା ସତ୍ତ୍ବେ ଏହି ଦୁଇ ଦେଶ ରୁଷ୍‌ଠାରୁ ତୈଳ ଆମଦାନୀ ଜାରି ରଖିଥିଲେ। ରୁଷ୍‌ର ଶକ୍ତି ଭିତ୍ତିଭୂମି ଉପରେ ୟୁକ୍ରେନର ଏହା ବଡ ଧରଣର ଆକ୍ରମଣ। ୟୁକ୍ରେନର ଆକ୍ରମଣ ସମ୍ପର୍କରେ ରୁଷ୍‌ ସରକାରଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ। ମାତ୍ର ରୁଷ୍‌ ଗଣମାଧ୍ୟମର କହିବା ଅନୁଯାୟୀ ୟୁକ୍ରେନ ପକ୍ଷରୁ ମାଡ କରାଯାଇଥିବା ଡ୍ରୋନ ମଧ୍ୟରୁ ୬୯ଟି ନଷ୍ଟ କରିଦିଆଯାଇଛି। ୨୦୨୨ ଫେବୃଆରୀରୁ ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି।

Breaking News