Report Card Odisha

| Daily Odia News

୮ ପଞ୍ଚାୟତ ଉପରେ ଆନ୍ଧ୍ରର ଆଖି…..

ରିପୋର୍ଟ କାର୍ଡ / କୋରାପୁର

କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକ୍‌ର ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ପରେ ଏବେ ଏହି ବ୍ଲକର ଆଉ ୮ ପଞ୍ଚାୟତ ଉପ​‌େ​‌ର ଆନ୍ଧ୍ର ଲୋଲୁପ ଦୃଷ୍ଟି ପକାଇଛି। ଏହିସବୁ ଗ୍ରାମର ଲୋକଙ୍କୁ ନିଜ ସପକ୍ଷରେ ନେବାକୁ ଆନ୍ଧ୍ର ସରକାର ବିଭିନ୍ନ ଉପାୟ ଅବଲମ୍ବନ କରିବାରେ ଲାଗିଛି। ଯଦ୍ବାରା ଏହି ୮ ପଞ୍ଚାୟତର ଜନସାଧାରଣ ଓଡ଼ିଶା ସହ ଆନ୍ଧ୍ରର ବିଭିନ୍ନ ଉନ୍ନୟନ କାମରେ ନିଜକୁ ଯୋଡି ହେବାକୁ ସେହି ରାଜ୍ୟର ଭୋଟର ଓ ଆଧାର କାର୍ଡ କରିଛନ୍ତି।କୋରାପୁଟ ଜିଲ୍ଲାର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଲକ ଅନ୍ତର୍ଗତ ୧୪ ପଞ୍ଚାୟତ ମଧ୍ୟରୁ ୮ ପଞ୍ଚାୟତର ବହୁ ଗ୍ରାମପୁଞ୍ଜ ସିଧାସଳଖ ଆନ୍ଧ୍ରକୁ ସ୍ପର୍ଶ କରୁଛି। ବିବାଦୀୟ କୋଟିଆ ପଞ୍ଚାୟତର ୨୧ ଖଣ୍ଡ ଗ୍ରାମପୁଞ୍ଜ ସହ ନୂଆଗାଁ, ରାଲେଗଡ଼ା, ପେଟ୍ରୁ, ସୁଙ୍କି, ଅମ୍ପାଭାଲି, ତଳଗଲୁରୁ, ସମ୍ବାଇ ପଞ୍ଚାୟତର ଗ୍ରାମପୁଞ୍ଜ ଆନ୍ଧ୍ର ସୀମାନ୍ତକୁ ଛୁଇଁଛି। ସୀମାନ୍ତରେ ଆନ୍ଧ୍ର ସରକାରଙ୍କ ପେନସନ, ରାସନ୍, ଶିକ୍ଷାବୃତ୍ତି ସର୍ବୋପରି ସରକାରୀ ପ୍ରୋତ୍ସାହନ ଓଡ଼ିଶା ତୁଳନାରେ ଅଧିକ ରହିଛି। ଆନ୍ଧ୍ରର ଏହିସବୁ ସୁବିଧା ହାତେଇବାକୁ ସୀମାନ୍ତବାସିନ୍ଦା ସେହି ରାଜ୍ୟ ସରକାରଙ୍କ ଭୋଟର ଓ ଆଧାର କାର୍ଡ କରି ନେଇଛନ୍ତି। ସୀମାନ୍ତ ଗ୍ରାମବାସୀଙ୍କ ଏଭଳି ଦୁର୍ବଳତାର ସୁଯୋଗ ନେଇ ଆନ୍ଧ୍ର ପ୍ରଶାସନ ଓଡ଼ିଶା ଗ୍ରାମର ବାସିନ୍ଦାଙ୍କୁ ପ୍ରଲୋଭନ ଦେଖାଇ ନିଜ ରାଜ୍ୟରେ ସାମିଲ କରିବାକୁ ପ୍ରୟାସ ଚଳାଇଛି। କୋଟିଆ ପଞ୍ଚାୟତ ସମ୍ପୂର୍ଣ୍ଣ ଓଡ଼ିଶାର ବୋଲି ଦାବି କରି ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ସ୍ବତନ୍ତ୍ର ପ୍ୟାକେଜ ମାଧ୍ୟମରେ ବିକାଶକୁ ତ୍ବରାନିତ କରୁଛନ୍ତି। ରାଜ୍ୟ ସରକାର କେବଳ କୋଟିଆ ପଞ୍ଚାୟତର ବିବାଦୀୟ ଗ୍ରାମ ପୁଞ୍ଜକୁ ନଜରରେ ରଖିଥିବା ବେଳେ ସୀମାନ୍ତର ବହୁ ନିର୍ବିବାଦୀୟ ଗ୍ରାମପୁଞ୍ଜକୁ ଆନ୍ଧ୍ର ନିଜ ଅକ୍ତିଆରକୁ ନେଇ ନିଜ ରାଜ୍ୟରେ ମିଶାଇବାକୁ ଅହରହ ପ୍ରୟାସ ଚଳାଇଛି। ଉଦାହରଣ ସ୍ୱରୂପ, ପଟାଙ୍ଗି ବ୍ଲକର ନୂଆଗାଁ ପଞ୍ଚାୟତ ସୀମା ବିବାଦରେ ନାହିଁ। ଏହି ପଞ୍ଚାୟତର କୁମ୍ଭିଗୁଡା, ଦିଗୁଗାବାଡର, ଏଟିଗାବାଡର ଗ୍ରାମବାସୀ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ ମାନ୍ୟମ୍‌ ଜିଲ୍ଲା ପ୍ରଶାସନର ସୁବିଧା ସୁଯୋଗ ହାତେଇଛନ୍ତି । ସେହିପରି ସମ୍ବାଇ ପଞ୍ଚାୟତର ସୁନାବେଡ଼ା, ଜାମ୍ବଗୁଡା, ସୁଙ୍କି ପଞ୍ଚାୟତର ନିମାଲପାଡୁ, ଅଣ୍ଡାଙ୍ଗି, ଗିନାଗେଲିପାଡୁ, ପାନସାଲପାଡୁ, ପେଟ୍ରୁ ପଞ୍ଚାୟତର ମାଟାମ, ପାନସାଲପାଡୁ, ବୁରୁଗୁଲପାଡୁ, ଅମ୍ପାଭାଲି ପଞ୍ଚାୟତର ସାପ୍ରାଇଗୁଡା,ସିଡିମେଟୁ, ରାଲେଗଡ଼ା ପଞ୍ଚାୟତର ଗାଡିବାଲସା, ବିଟ୍ରା, ପିଲକାବିଟ୍ରା , ମେଟାପାଡୁ, ତଳଗଲୁରୁ ପଞ୍ଚାୟତର ବଣକିମେଟା, ପଟୁଗୁଡା, ବାଙ୍ଗାରଗୁଡି, ପେଦାଗୁଡି, ଓଲାପାରୁ, ସାପ୍ରାଇଗୁଡା, ଡୁମୁରିଗୁଡା, ଜାମଗୁଡା, ମୁଲାପାଡୁ, ବଟକିମେଡା, ଦାରମପାଡୁ, ସାରମପାଡୁ ଆଦି ଗ୍ରାମ ବାସିନ୍ଦା ଉଭୟ ରାଜ୍ୟ ସରକାରଙ୍କ ସୁବିଧା ହାତେଇଛନ୍ତି। ଏହିସବୁ ଗ୍ରାମବାସୀ ଉଭୟ ରାଜ୍ୟରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ସୀମାନ୍ତରେ ଥିବା ଓଡ଼ିଶା ଗ୍ରାମର ବାସିନ୍ଦାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ଅକ୍ତିଆରକୁ ନେବାକୁ ଆନ୍ଧ୍ର ଷଡ଼ଯନ୍ତ୍ର ଚଳାଇଛି ବୋଲି ତଳଗଲୁରୁ ପଞ୍ଚାୟତର ପୂର୍ବତନ ସରପଞ୍ଚ ବଳଦା ବୋଇପତି ପ୍ରକାଶ କରିଛନ୍ତି। ସୀମାନ୍ତରେ ଥିବା ଏହି ଆଠ ପଞ୍ଚାୟତର ୬୦ରୁ ଅଧିକ ଗ୍ରାମର ବହୁ ସଂଖ୍ୟକ ପରିବାରଙ୍କୁ ନୂତନ ପାର୍ବତୀପୁରମ ମାନ୍ୟମ ଏବଂ ପାଡେରୁ ଆଲୁରୁର ରାମରାଜୁ ଜିଲାରେ ସାମିଲ୍ କରିବାକୁ ଆନ୍ଧ୍ର ପ୍ରୟାସ କରିଛି। ଓଡ଼ିଶା ବାସିନ୍ଦାଙ୍କ ଓଡ଼ିଶା​‌େ​‌ର ସମସ୍ତ ପରିଚୟପତ୍ର ଥିବା ସତ୍ତ୍ବେ ସେମାନଙ୍କୁ ପ୍ରଲୋଭନ ଦେଖାଇ ଆନ୍ଧ୍ର ନିଜ ଜିଲାର ଆଧାର, ପ୍ୟାନ, ଭୋଟର କାର୍ଡ ଓ ବ୍ୟାଙ୍କ ଖାତା ଖୋଲି ଦିଆଯାଇଛି। ଉଭୟ ରାଜ୍ୟ ସରକାରଙ୍କ ଯୋଜନାର ସୁବିଧା ଅସୁବିଧା ତୁଳନା କରି ଓଡ଼ିଶା ବାସିନ୍ଦା ଆନ୍ଧ୍ରରେ ସାମିଲ ହେବାକୁ ଅଧିକ ଶ୍ରେୟ ମଣୁଛନ୍ତି। ଆନ୍ଧ୍ରପ୍ରଦେଶ ସରକାରଙ୍କ ସ୍ବାସ୍ଥ୍ୟସେବା, ବାର୍ଦ୍ଧକ୍ୟ ଭତ୍ତା, ଛାତ୍ରଛାତ୍ରୀ ପାଇଁ ଶିକ୍ଷା ଭତ୍ତା, ବିକଳାଙ୍ଗ ଭତ୍ତା, ଜଙ୍ଗଲ ଜମିପଟ୍ଟା, ଘରେ ଘରେ ରାସନ୍ ଓ ପେନସନ ପ୍ରଦାନ ଆଦି ଓଡ଼ିଶା ସରକାରଙ୍କ ଠାରୁ ଢେର ଅଧିକ ଥିବାରୁ ଏହାକୁ ଆଧାର କରି ଉଭୟ ରାଜ୍ୟ ସରକାରଙ୍କ ସୁବିଧା ହାତେଇବା ପାଇଁ ଏଠାକାର ବାସିନ୍ଦା ନାମକୁ ଏପଟସେପଟ କରି ଆଧାର, ଭୋଟର କାର୍ଡ, ପ୍ୟାନ ଓ ରାସନ୍ କାର୍ଡ କରିଛନ୍ତି। ନୂଆଗାଁ ସରପଞ୍ଚ ସୁବାସ ଖରାଙ୍କ ପ୍ରତିକ୍ରିୟା ଅନୁସାରେ, ଓଡ଼ିଶା ସରକାରଙ୍କ ଭତ୍ତାର ତାରତମ୍ୟ, ଆନ୍ଧ୍ରରେ ପିଲାଙ୍କ ଶିକ୍ଷା ଭତ୍ତା ପ୍ରତିବର୍ଷ ଅଭିଭାବକଙ୍କୁ ମିଳିବା, ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସହ ଜମିବାଡ଼ି ମରାମତି ପାଇଁ ପ୍ରତ୍ୟେକ ବର୍ଷ ଅନୁଦାନ ପ୍ରଦାନ, ମନରେଗା ପାଉଣା ସପ୍ତାହ ମଧ୍ୟରେ ପ୍ରଦାନ ଭଳି ସୁବିଧା ଆନ୍ଧ୍ର ପକ୍ଷରୁ ମିଳୁଛି। ଏହିସବୁ କାରଣରୁ ଆନ୍ଧ୍ର ପ୍ରତି ଉପରୋକ୍ତ ଅଞ୍ଚଳବାସୀଙ୍କ ଦୁର୍ବଳତା ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ଯେପରି ସୀମାନ୍ତ ଅନୁନ୍ନତ ଅଞ୍ଚଳକୁ ପାହାଡି ଇଲାକା ଘୋଷଣା କରି ସମସ୍ତଙ୍କୁ ସମାନ ସୁବିଧା ଯୋଗାଇର ବ୍ୟବସ୍ଥା କରିଛନ୍ତି, ସେହି ଆଧାରରେ ସମସ୍ତ ପ୍ରକାର ସୁବିଧା ଆମ ସରକାର କଲେ ଅଞ୍ଚଳବାସୀ ଆନ୍ଧ୍ର ମୋହରୁ ଦୂରେଇ ରହିବେ ବୋଲି ସେ ମତ ଦେଇଛନ୍ତି। ସୀମାନ୍ତ ଗ୍ରାମ ପୁଞ୍ଜରେ ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ୍ ନ ଲାଗିଲେ ଆଗକୁ ବିବାଦ ବୃଦ୍ଧି ପାଇବ ଏବଂ ଆନ୍ଧ୍ର ଏହାର ଫାଇଦା ଉଠାଇ ଚାଲିବ ବୋଲି ସେ କହିଛନ୍ତି।

Breaking News