Report Card Odisha

| Daily Odia News

ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମୌଖିକ ଟିପ୍ପଣୀ ଦେଇଛନ୍ତି। ଏକ ବଳାତ୍କାର ମାମଲାର ଜାମିନ ଆବେଦନ ଶୁଣାଣି ସମୟରେ ଜଷ୍ଟିସ୍ ବିଭି ନାଗରତ୍ନ ଏବଂ ଜଷ୍ଟିସ୍ ଉଜ୍ଜଲ ଭୁୟାଁଙ୍କ ଖଣ୍ଡପୀଠ କହିଛନ୍ତି ଯେ, ‘ବିବାହ ପୂର୍ବରୁ ପୁଅ ଓ ଝିଅ ପରସ୍ପର ପାଇଁ ଅଜଣା ହୋଇଥିବାରୁ ଏଭଳି ସମ୍ପର୍କ ରଖିବା ପୂର୍ବରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉଚିତ୍’। ରିପୋର୍ଟ ଅନୁଯାୟୀ ପୀଡ଼ିତା ଓ ଅଭିଯୁକ୍ତ ୨୦୨୨ ରେ ଏକ ମ୍ୟାଟ୍ରିମୋନିଆଲ୍ ସାଇଟ୍ ଜରିଆରେ ସମ୍ପର୍କରେ ଆସିଥିଲେ। ଅଭିଯୁକ୍ତ ଜଣକ ବିବାହର, ସେ ମିଥ୍ୟା ପ୍ରତିଶ୍ରୁତି ଦେଇ ଦିଲ୍ଲୀ ଏବଂ ଦୁବାଇରେ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ସମ୍ମତି ବିନା ଅଶ୍ଳୀଳ ଭିଡିଓ ମଧ୍ୟ ରେକର୍ଡ କରିଥିଲେ। ପରେ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ଜଣକ ପୂର୍ବରୁ ବିବାହିତ ଥିଲେ ଏବଂ ୨୦୨୪ ଜାନୁଆରୀରେ ପଞ୍ଜାବରେ ଅନ୍ୟ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ।ଶୁଣାଣି ସମୟରେ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ, ଯଦି ବିବାହ ହୋଇନଥିଲା ତେବେ ମହିଳା ଜଣକ ଦୁବାଇ କାହିଁକି ଯାଇଥିଲେ? ଜଷ୍ଟିସ୍ ନାଗରତ୍ନ କହିଥିଲେ, “ବୋଧହୁଏ ଆମେ ପୁରୁଣା ଚିନ୍ତାଧାରାର, କିନ୍ତୁ ବିବାହ ପୂର୍ବରୁ ଜଣେ ପୁଅ ଏବଂ ଝିଅ ଅଜଣା ହୋଇଥାନ୍ତି। ସେମାନଙ୍କ ସମ୍ପର୍କ ଯେତେ ନିବିଡ଼ ହୋଇଥିଲେ ମଧ୍ୟ ବିବାହ ପୂର୍ବରୁ ସେମାନେ କିପରି ଶାରୀରିକ ସମ୍ପର୍କ ରଖୁଛନ୍ତି, ତାହା ଆମେ ବୁଝିପାରୁନାହୁଁ। ବିବାହ ପୂର୍ବରୁ କାହାକୁ ବି ଅନ୍ଧଭାବେ ବିଶ୍ୱାସ କରିବା ଉଚିତ୍ ନୁହେଁ।”ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯଦି ସମ୍ପର୍କ ସହମତି ଭିତ୍ତିକ ହୋଇଥାଏ, ତେବେ ଏହା କେବଳ ମାମଲା ଚଲାଇ ଦଣ୍ଡ ଦେବାର ବିଷୟ ନୁହେଁ। ଏହି ମାମଲାକୁ ସମାଧାନ ପାଇଁ ମଧ୍ୟସ୍ଥତା କେନ୍ଦ୍ରକୁ ପଠାଯାଇପାରେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବୁଧବାର ହେବ।

Breaking News