ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାଜପାର ନୂଆ ଟିମ୍ ପ୍ରସ୍ତୁତ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର ଅନୁସାରେ ୨୦୨୯ ଲୋକ ସଭା ନିର୍ବାଚନ, ବିଭିନ୍ନ ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ, ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା, ବୟସ ଏବଂ ଏନ୍ଡିଏର ବଢୁଥିବା ସହଯୋଗୀ ଦଳ ନେଟୱର୍କକୁ ନଜରରେ ରଖି ଏହି ପରିବର୍ତ୍ତନ କରାଯାଇପାରେ।ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ ମନ୍ତ୍ରିପରିଷଦରେ ୬୯ ଜଣ ସଦସ୍ୟ ଅଛନ୍ତି। ସମ୍ବିଧାନ ଅନୁଯାୟୀ ସର୍ବାଧିକ ୮୧ ଜଣ ମନ୍ତ୍ରୀ ରହିପାରିବେ। ଅର୍ଥାତ୍ ଆଉ ୧୨ ଜଣଙ୍କୁ ମନ୍ତ୍ରିପରିଷଦରେ ସାମିଲ କରିବାର ସୁଯୋଗ ରହିଛି। ସମ୍ପ୍ରତି କିଛି ପରିବର୍ତ୍ତନ ଯୋଗୁ ମଧ୍ୟ କେତେକ ପଦ ଖାଲି ହୋଇଛି । ଏହି ଖାଲି ପଦଗୁଡ଼ିକୁ ନୂଆ ମୁହଁଙ୍କୁ ସୁଯୋଗ ଦେଇ ପୂରଣ କରାଯାଇପାରେ । ଯେଉଁ ମନ୍ତ୍ରୀମାନଙ୍କୁ ସଂଗଠନରେ ନୂଆ ଦାୟିତ୍ୱ ମିଳିଛି, ସେମାନଙ୍କ ମନ୍ତ୍ରୀପଦରେ ପରିବର୍ତ୍ତନ ହୋଇପାରେ।ଏହା ସହିତ ଏକାଧିକ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳୁଥିବା ବରିଷ୍ଠ ମନ୍ତ୍ରୀମାନଙ୍କ ଉପରୁ କାର୍ଯ୍ୟଭାର କମାଇବା ପାଇଁ ମଧ୍ୟ ବିଭାଗ ବଣ୍ଟନରେ ପରିବର୍ତ୍ତନ ହୋଇପାରେ। ଆଗାମୀ ଅଦଳବଦଳରେ ଯୁବ ନେତାଙ୍କୁ ଅଧିକ ସୁଯୋଗ ମିଳିବା ନେଇ ମଧ୍ୟ ଚର୍ଚ୍ଚା ରହିଛି । ସମ୍ପ୍ରତିର ଛାତ୍ର ଓ ଯୁବ ଆନ୍ଦୋଳନକୁ ନଜରରେ ରଖି ଯୁବପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ ଭାଜପା ଗୁରୁତ୍ବ ଦେଇପାରେ । ଏହା ସହିତ ମହିଳା ନେତାଙ୍କୁ ମଧ୍ୟ କେନ୍ଦ୍ରୀୟ ମନ୍ତ୍ରିପରିଷଦରେ ଅଧିକ ସୁଯୋଗ ମିଳିପାରେ। କ୍ୟାବିନେଟ୍ ଅଦଳବଦଳରେ ରାଜ୍ୟ ଭିତ୍ତିକ ରାଜନୈତିକ ସମୀକରଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ। ଉତ୍ତରପ୍ରଦେଶ, ପଞ୍ଜାବ ଓ ଗୁଜରାଟ ସହ କର୍ନାଟକ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମହାରାଷ୍ଟ୍ରକୁ ମଧ୍ୟ ଅଧିକ ପ୍ରତିନିଧିତ୍ୱ ମିଳିବା ନେଇ ଆଲୋଚନା ହେଉଛି।






More Stories
ନେପାଳ ବନ୍ୟା;ମାଟିତଳୁ ଜୀବନ ଖୋଜା…..
ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ…..
ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ…..