Report Card Odisha

| Daily Odia News

ଭୟଙ୍କର ବର୍ଷା,ଏହି ୩ ଜିଲ୍ଲାକୁ ସତର୍କ ସୂଚନା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ ବେହାଲ ହୋଇପଡ଼ିଥିବା ବେଳେ ପଶ୍ଚିମ ଓଡ଼ିଶାରେ ସ୍ଥିତି ଅତ୍ୟନ୍ତ ସଂଗୀନ ରୂପ ନେଇଛି। ୩ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରରେ ଭୟଙ୍କର ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଏବଂ ନିମ୍ନଞ୍ଚଳରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସେହିପରି ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଉଛି। ବାଲେଶ୍ୱର ଓ ମୟୂରଭଞ୍ଜର କେତେକ ସ୍ଥାନରେ ରାସ୍ତା ଉପରେ ୩ ଫୁଟ ଉଚ୍ଚର ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅପରପକ୍ଷରେ, ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାରେ ମଧ୍ୟ ବର୍ଷାର ପରିମାଣ ବୃଦ୍ଧି ପାଇଥିବାରୁ ଚାଷଜମିଗୁଡ଼ିକ ଜଳମଗ୍ନ ହୋଇରହିଛି।ଏସଆରସିଙ୍କ ସୂଚନା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର (SRC) ସମସ୍ତ ଜିଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ଓଡିଆର୍‌ଏଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ବନ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନେବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି। ସମୁଦ୍ର ଅଶାନ୍ତ ରହିଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ କଡ଼ା ଚେତାବନୀ ଦିଆଯାଇଛି। ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ ଆହୁରି ବଢ଼ିବାର ଆଶଙ୍କା ଥିବାରୁ ଜନସାଧାରଣଙ୍କୁ ବିନା କାରଣରେ ଘରୁ ନ ବାହାରିବାକୁ ଏବଂ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।

Breaking News