ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ବଚ୍ଛ ଏବଂ ନିର୍ଭୁଲ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟି ଦୂର କରିବା ଲକ୍ଷ୍ୟରେ ରାଜ୍ୟରେ ଏକ ବିଶେଷ ସର୍ଭେ କରାଯିବ। ଏହି ସର୍ଭେ ଅଭିଯାନ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଞ୍ଚଳରେ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ବିଏମ୍ସି ଅଧୀନରେ ଥିବା ୩ଟି ବିଧାନସଭା କ୍ଷେତ୍ରର ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଓ୍ବାର୍ଡ ୧୦, ମଧ୍ୟ ଭୁବନେଶ୍ୱର ଅନ୍ତର୍ଗତ ବିଧାନସଭା କ୍ଷେତ୍ରର ଓ୍ବାର୍ଡ ନମ୍ବର ୩୫ ଏବଂ ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀର ଓ୍ବାର୍ଡ ନମ୍ବର ୫୨ରେ ଘରକୁ ଘର ସର୍ଭେ କାର୍ଯ୍ୟ ହାତକୁ ନିଆଯାଇଛି। ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ କରାଯାଇ ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚନ କ୍ଷେତ୍ରଗୁଡ଼ିକର ଭୋଟର ତାଲିକାକୁ ନିର୍ଭୁଲ ଓ ବ୍ୟବସ୍ଥିତ କରାଯିବ। ବର୍ତ୍ତମାନ ଗୋଟିଏ ପରିବାରର ସଦସ୍ୟମାନେ ଭିନ୍ନ ଭିନ୍ନ ବୁଥ୍ରେ ସାମିଲ ଅଛନ୍ତି। ଏହାସହ ଅସ୍ପଷ୍ଟ ଘର ନମ୍ବର ଭଳି ଜଟିଳ ସମସ୍ୟାର ସ୍ଥାୟୀ ସମାଧାନ କରିବା ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି। ସହରାଞ୍ଚଳରେ ଥିବା ଅଧିକାଂଶ ବିଧାନସଭା ବୁଥ୍ଗୁଡ଼ିକର କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ନାହିଁ। ଫଳରେ ଗୋଟିଏ ବୁଥ୍ରେ ୧୦ରୁ ୧୨ଟି ଭିନ୍ନ ଭିନ୍ନ ଅଞ୍ଚଳର ଭୋଟର ସାମିଲ ହୋଇ ରହିଛନ୍ତି। ଏପରିକି ଗୋଟିଏ ଓ୍ବାର୍ଡର ଭୋଟରଙ୍କୁ ଅନ୍ୟ ଏକ ଓ୍ବାର୍ଡରେ ଭୋଟ ଦେବାକୁ ପଡୁଛି, ଫଳରେ ଅନେକ ଭୋଟର ମତଦାନ କେନ୍ଦ୍ରକୁ ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହି ସର୍ଭେ ମାଧ୍ୟମରେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଗୋଟିଏ ମତଦାନ କେନ୍ଦ୍ରରେ ଭୋଟଦାନ କରିପାରିବେ। ଏହାସହିତ ଗୋଟିଏ ଓ୍ବାର୍ଡର ମତଦାତାମାନଙ୍କ ନାମ ବିଭିନ୍ନ ଓ୍ବାର୍ଡର ଭୋଟର ତାଲିକାରେ ରହିଥିଲେ, ଏହି ସର୍ଭେ ପରେ ସେମାନେ ଗୋଟିଏ ଓ୍ବାର୍ଡରେ ରହିପାରିବେ, ଯାହାଦ୍ୱାରା ମତଦାତାଙ୍କ ମତଦାନ ସହଜରେ ହୋଇପାରିବ। ସହରାଞ୍ଚଳରେ ଭୋଟଦାନ ହାର କମିବାର ଏହା ଏକ ପ୍ରମୁଖ କାରଣ ହୋଇଥିବାରୁ ଏହି ନୂତନ ବ୍ୟବସ୍ଥା ଜରିଆରେ ଏହାକୁ ସୁଧାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ ବୁଥ୍ସ୍ତରୀୟ ଅଧିକାରୀ(ବିଏଲ୍ଓ) ଏବଂ ଅନ୍ୟ କର୍ମଚାରୀମାନଙ୍କୁ ନେଇ ହୋଇଥିବା ଟିମ୍କୁ ଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ଏହି ଅଭିଯାନ ଦ୍ୱାରା ରାଜ୍ୟରେ ଏକ ସ୍ବଚ୍ଛ, ନିର୍ଭୁଲ ତଥ୍ୟ ବ୍ୟବସ୍ଥିତ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି।






More Stories
ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା…..
ଆଜି ଦିଲ୍ଲୀ ଯିବେ ମୋହନ-ନବୀନ…..
ରେଡ୍ ୱାର୍ଣ୍ଣିଂ…..