ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରଖେ ହରିତ ମାରେକିଏ | ନେପାଳ ଜଳ ପ୍ରଳୟର ୯ ଦିନ ପରେ ଗଭୀର ଟନେଲ ଭିତରୁ ଜୀବନ୍ତ ଉଦ୍ଧାର କରାଯାଇଛି ଏ ଦୁହିଁଙ୍କୁ । ସବୁଠୁ ବଡ଼କଥା ହେଲା ଏଡେବଡ ବିପର୍ଯ୍ୟୟକୁ ସାମ୍ନା କରି, ଅଖିଆ ଅପିଆ ରହିବି ସେ ଦୁହେଁ ସୁସ୍ଥ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୨୬ ତାରିଖରେ ନେପାଳର ତ୍ରିଶୁଳୀ ଓ ଭୋଟକୋଶୀ ନଦୀରେ ପ୍ରଳୟଙ୍କରୀ ପାଣି ମାଡ଼ି ଆସିଥିଲା । କେଇ ମୁହୂର୍ତ ଭିତରେ ହଜାର ହଜାର ଲୋକ ପାଣି ସୂଅରେ ଭାସିଗଲେ । ବର୍ତମାନ ସୁଦ୍ଧା ୧୧ ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତଦେହ ଠାବ କରାଯାଇଥିବା ବେଳେ ୫ ହଜାରୁ ଊର୍ଦ୍ଧ୍ୱ ଲୋକ ନିଖୋଜ ଅଛନ୍ତି । ଦିନ ଯେତେଯେତେ ବଢି ବଢି ଚାଲିଛି, ନିଖୋଜମାନଙ୍କ ଜୀବିତ ରହିବା ଆଶା ମଧ୍ୟ କମି କମି ଆସୁଛି । ତେବେ ଶୁକ୍ରବାର ଘଟିଛି ଏହି ଅଲୌକିକ ଘଟଣା । ଟନେଲ ମଧ୍ୟରେ ମାଟି କାଦୁଅ ଭିତରୁ ଜୀବନ ଖୋଜୁଥିବା ନେପାଳ ସେନାର ଯବାନମାନଙ୍କ କାନରେ ଶୁଭିଲା କିଛି କ୍ଷୀଣ ଶବ୍ଦ । ସେଇ ଶବ୍ଦର ପିଛା କରି ସେମାନେ ପହଂଚିଥିଲେ ଠିକଣା ସ୍ଥାନରେ । ସେଠି ପହଂଚି ଯେଉଁ ଦୃଶ୍ୟ ସେମାନେ ଦେଖିଲେ, ନିଜ ଅଖିକୁ ବି ବିଶ୍ୱାସ କରିପାରିଲେନି । ଟନେଲ ଭିତରେ ତଥାପି ଜୀବନ ଧରି ପଡି ରହିଥିଲେ ୪୫ ବର୍ଷୀୟ କବୀର ଓ ୩୦ ବର୍ଷୀୟ ସଂଜୟ । କବୀର ଏହି ହାଇଡ୍ରୋ ପାୱାର ପ୍ରୋଜେକ୍ଟରେ ସୁପରଭାଇଜର ଭାବେ କାମ କରୁଥିବା ବେଳେ ସଂଜୟ ହେଉଛନ୍ତି ଫୋରମ୍ୟାନ୍ । ଘଟଣା ଦିନ ଉଭୟ ଟନେଲ ଭିତରେ କାମ କରୁଥିବା ବେଳେ ପାଣି ପଶି ଆସିଥିଲା ଆଉ ସେବେଠୁ ସେମାନେ ହୋଇଯାଇଥିଲେ ନିଖୋଜ । ଉଭୟଙ୍କୁ ପ୍ରାୟ ୧୭୦ ମିଟର ଗଭୀର ଟନେଲ ମଧ୍ୟରୁ ଉଦ୍ଧାର କରାଯାଇ କାଠମାଣ୍ଡୁର ଛାଉନି ହସ୍ପିଟାଲରେ ଭର୍ତି କରାଯାଇଛି । ଜଳ ପ୍ରଳୟ ସମୟରେ ଟନେଲ ମଧ୍ୟରେ କିଛି କିଛି ଅମ୍ଳଯାନ ରହିଯାଇଥିବାରୁ ଏ ଦୁହେଁ ବଂଚି ଯାଇଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି । ଦୁହିଁଙ୍କୁ ସଫଳତାର ସହ ଉଦ୍ଧାର କରିବା ପରେ ନେପାଳ ଆର୍ମୀ ଯବାନମାନେ ଉତ୍ସାହିତ ହୋଇଯାଇଛନ୍ତି ।






More Stories
ନିୟମ ଭାଙ୍ଗିଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ !…..
ସେପ୍ଟେମ୍ୱରରେ ପୁଣି ବଡ଼ ଆନ୍ଦୋଳନ…..
ପାକିସ୍ତାନ ଟାର୍ଗେଟରେ ହିନ୍ଦୁ ମନ୍ଦିର…..