Report Card Odisha

| Daily Odia News

ଯଦି ମୁଁ ଆପଣଙ୍କ ଛାତ୍ର ହୋଇଥାନ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକମାନଙ୍କୁ ଏଥିରେ ଆମନ୍ତ୍ରଣ କରାଯାଇଥିଲା। କାର୍ଯ୍ୟକ୍ରମ ସମୟରେ ପିଏମ ମୋଦି ଶିକ୍ଷକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ସେମାନଙ୍କଠାରୁ ପରାମର୍ଶ ମଧ୍ୟ ମାଗିଥିଲେ। ଏହାର ଏକ ଭିଡିଓ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ମଧ୍ୟ ଶେୟାର କରାଯାଇଛି। ଜାତୀୟ ପୁରସ୍କାରପ୍ରାପ୍ତ ଜଣେ ଶିକ୍ଷକଙ୍କ ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ କାଶୀର ସାଂସଦ। ସେଠାରେ ସେ ବ୍ରେଷ୍ଟ କ୍ୟାନସରକୁ ନେଇ ସଚେତନତା ଅଭିଯାନ ଆରମ୍ଭ କରିଥିଲେ। ଏବେ ମହିଳାମାନେ ନିଜେ ଆଗକୁ ଆସି ଯାଞ୍ଚ କରାଉଥିବା ଦେଖି ସେ ଖୁସି ଅନୁଭବ କରୁଥିବା କହିଥିଲେ। ପୂର୍ବରୁ ଏଭଳି ସ୍ଥିତି ନଥିଲା ବୋଲି ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏହାସହ ଗୋଟିଏ ଦିନରେ ସର୍ବାଧିକ ଲୋକଙ୍କ ସ୍କ୍ରିନିଂ କରାଯିବା ଏକ ବିଶ୍ୱ ରେକର୍ଡ ହୋଇଥିବା ଅନୁଭୂତି ବିଷୟରେ ମଧ୍ୟ ସେ କହିଥିଲେ। ଆଲୋଚନାର ଏକ ରୋଚକ ଅଂଶ ଥିଲା ପବ୍ଲିକ ସ୍ପିକିଂ। ନିଜର ବକ୍ତୃତା କୌଶଳକୁ ଆହୁରି ଭଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଜଣେ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ମାଗିଥିଲେ। ସେ ପଚାରିଥିଲେ, ଯଦି ମୁଁ ଆପଣଙ୍କ ପାଖରେ ଜଣେ ଛାତ୍ର ହୋଇଥାନ୍ତି ଏବଂ ଜଣେ ଦକ୍ଷ ବକ୍ତା ହେବାକୁ ଚାହୁଁଥାନ୍ତି, ତେବେ ଆପଣ ମୋତେ କ’ଣ ପରାମର୍ଶ ଦେଇଥାନ୍ତେ? ମୋତେ କ’ଣ କରିବା ଉଚିତ୍‌? ଏହାର ଉତ୍ତରରେ ଶିକ୍ଷୟିତ୍ରୀ ଜଣକ କହିଥିଲେ ଯେ ଜଣେ ଦକ୍ଷ ବକ୍ତା ହେବା ପାଇଁ ପ୍ରଥମେ ଆତ୍ମବିଶ୍ୱାସ ଆବଶ୍ୟକ। ଅଧିକ ଅଭ୍ୟାସ ଦ୍ୱାରା ଆତ୍ମବିଶ୍ୱାସ ଆସିଥାଏ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଦେଖି ସେ ନିଜେ ମଧ୍ୟ ଟିକେ ନର୍ଭସ ହୋଇଯାଇଥିବା କଥା ହସିହସି କହିଥିଲେ। ଶିକ୍ଷକ ଦିବସର ଏହି ସାକ୍ଷାତକାରରେ ପିଏମ ମୋଦି ଓ ଶିକ୍ଷକମାନଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ଏବେ ଚର୍ଚ୍ଚାରେ ରହିଛି।

Breaking News