Report Card Odisha

| Daily Odia News

ବଢ଼ିଲା ମେଡିକାଲ ପିଜି ସିଟ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ଡାକ୍ତର ଅଭାବ ଦୂର କରିବା ଲାଗି ଡାକ୍ତରୀ ପାଠ୍ୟକ୍ରମ କ୍ଷେତ୍ର‌େ‌ର ରାଜ୍ୟ ଭେଷଜ ମହାବିଦ୍ୟାଳୟରେ ସିଟ ବୃଦ୍ଧି ହୋଇଛି। ଜାତୀୟ ମେଡିକାଲ କମିସନ(ଏନଏମ୍‌ସି) ରାଜ୍ୟର ବିଭିନ୍ନ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ସ୍ନାତକୋତ୍ତର(ପିଜି) ଅନୁଷ୍ଠାନର ୧୪ଟି ବିଭାଗରେ ୩୧୮ଟି ପିଜି ଆସନ ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି। ଏହାଦ୍ବାରା ଓଡ଼ିଶାରେ ମୋଟ ପିଜି ଆସନ ସଂଖ୍ୟା ୬୨୦ରୁ ବୃଦ୍ଧି ପାଇ ୯୩୮ରେ ପହଞ୍ଚିଛି। ପୂର୍ବରୁ ଥିବା ୭ଟି ଭେଷଜ ମହାବିଦ୍ୟାଳୟରେ ପିଜି ଆସନ ସଂଖ୍ୟା ୧୬୫କୁ ବୃଦ୍ଧି ହୋଇଥିବାବେଳେ ଚଳିତଥର ୫ଟି ମହାବିଦ୍ୟାଳୟକୁ ନୂଆ କରି ୧୫୩ ପିଜି ଆସନ ମିଳିଛି। ଏନଏମ୍‌ସି ଅନୁମୋଦନ ଅନୁସାରେ ରାଜ୍ୟର ନୂଆ ସରକାରୀ ଭେଷଜ ମହାବିଦ୍ୟାଳୟ ଗୁଡ଼ିକରେ ପ୍ରଥମ ଥର ପାଇଁ ପିଜି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। କେନ୍ଦୁଝର ଧରଣୀଧର ଭେଷଜ ମହାବିଦ୍ୟାଳୟରେ ମୋଟ ୧୦ଟି ବିଭାଗରେ ୪୪ ଆସନ, ସୁନ୍ଦରଗଡର ସରକାରୀ ଭେଷଜ ମହାବିଦ୍ୟାଳୟରେ ୮ଟି ବିଭାଗରେ ୨୨ ଆସନ, କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟରେ ୯ଟି ବିଭାଗରେ ୨୮ ଆସନ, ତାଳଚେରର ପବିତ୍ର ମୋହନ ପ୍ରଧାନ ଭେଷଜ ମହାବିଦ୍ୟାଳୟରେ ୧୦ଟି ବିଭାଗରେ ୩୨ ଆସନ ଏବଂ ଫୁଲବାଣୀର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସରକାରୀ ଭେଷଜ ମହାବିଦ୍ୟାଳୟରେ ୮ଟି ବିଭାଗରେ ୨୭ଟି ପିଜି ଆସନକୁ ଅନୁମୋଦନ ମିଳିଛି। ସେହିପରି ପୂର୍ବରୁ ଥିବା ମହାବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟରେ ପିଜି ଆସନ ସଂଖ୍ୟା ୨୦ରୁ ୫୩କୁ ବୃଦ୍ଧି ହୋଇଛି। ବଲାଙ୍ଗୀରସ୍ଥିତ ଭୀମଭୋଇ ଭେଷଜ ମହାବିଦ୍ୟାଳୟରେ ଆସନ ସଂଖ୍ୟା ୧୦ରୁ ବୃଦ୍ଧି ପାଇ ୫୪, ବାଲେଶ୍ବରସ୍ଥିତ ଫକୀର ମୋହନ ଭେଷଜ ମହାବିଦ୍ୟାଳୟରେ ୮ରୁ ବଢି ୫୪ ଓ ପିଜିଆଇଏମ୍‌ଇଆର୍‌ ଓ କ୍ୟାପିଟାଲ ହସ୍ପିଟାଲରେ ୩୬ରୁ ଏହି ସଂଖ୍ୟା ୪୭କୁ, ଏସ୍‌ସିବି ଭେଷଜ ମହାବିଦ୍ୟାଳୟରେ ୨୩୨ରୁ ୨୪୯କୁ, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ୧୨ରୁ ୧୫କୁ ଏବଂ ଭୀମସାର ବୁର୍ଲାରେ ୧୧ଟି ପିଜି ଆସନ ବୃଦ୍ଧି ହୋଇ ମୋଟ ସଂଖ୍ୟା ୧୫୫ରେ ପହଞ୍ଚିଛି।
ଏହି ଆସନ ଗୁଡ଼ିକରେ ରହିଛି ଆନାଟୋମି, ଆନାସ୍ଥେସିଓଲୋଜି, ବାୟୋକେମିଷ୍ଟ୍ରି, କମ୍ୟୁନିଟି ମେଡିସିନ୍, ଇଏନ୍‌ଟି, ଜେନେରାଲ ମେଡିସିନ୍, ଜେନେରାଲ ସର୍ଜରୀ, ମାଇକ୍ରୋ-ବାୟୋଲୋଜି, ପ୍ରସୂତି ଓ ସ୍ତ୍ରୀରୋଗ, ଅର୍ଥୋପେଡିକ୍ସ, ପେଡିଆଟ୍ରିକ୍ସ, ପାଥୋଲୋଜି, ସାଇକିଆଟ୍ରି ଏବଂ ରେସ୍ପିରେଟୋରି ମେଡିସିନ୍ ଆଦି ୧୪ଟି ବିଭାଗ। ଏହାଦ୍ବାରା ରାଜ୍ୟର ଡାକ୍ତରୀ ଶିକ୍ଷାର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷା ଓ ଗବେଷଣାର ନୂତନ ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଯୋଗୁଁ ରାଜ୍ୟର ସ୍ବାସ୍ଥ୍ୟ ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଏହାସହିତ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ଏନଏମସିକୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ରାଜ୍ୟରେ ଅଧିକ ସଂଖ୍ୟକ ଦକ୍ଷ ଓ ବିଶେଷଜ୍ଞ ଡାକ୍ତର ସୃଷ୍ଟି କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ।

Breaking News