ରିପୋର୍ଟ କାର୍ଡ / ଭୁବନେଶ୍ୱର
ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରୟାସ ପାଇଁ ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି ଓଡ଼ିଶା । ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ରେ ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ଶ୍ରେଷ୍ଠ ସ୍ଥାନ ହାସଲ କରିଛି । ଏହାସହ ଭୁବନେଶ୍ୱରକୁ ରାଜ୍ୟର ପ୍ରଥମ ‘State Swachh City’ ଭାବେ ମାନ୍ୟତା ମିଳିଛି । ସେହିପରି ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ବର୍ଗରେ ଆସ୍କା ପୌରପାଳିକା ଦ୍ୱିତୀୟ ସ୍ଥାନ ହାସଲ କରିଛି । ବୁଧବାର ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ରାଜ୍ୟର ପୁରସ୍କାର ଗ୍ରହଣ କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ। ସ୍ୱଚ୍ଛତା କ୍ଷେତ୍ରରେ ଏହି ସଫଳତା ରାଜ୍ୟ ସରକାର, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ସଫେଇ କର୍ମଚାରୀ ଓ ସାଧାରଣ ନାଗରିକଙ୍କ ମିଳିତ ପ୍ରୟାସର ଫଳ ବୋଲି ଅଧିକାରୀମାନେ କହିଛନ୍ତି । ସହରାଞ୍ଚଳରେ ପରିମଳ ଭିତ୍ତିଭୂମିକୁ ସୁଦୃଢ଼ କରିବା, ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ସ୍ୱଚ୍ଛତା ଅଭିଯାନରେ ନାଗରିକଙ୍କ ଭାଗିଦାରୀ ବଢ଼ାଇବା ଦିଗରେ ରାଜ୍ୟର ପ୍ରୟାସକୁ ଏହି ପୁରସ୍କାର ସ୍ୱୀକୃତି ଦେଇଛି । ସ୍ୱଚ୍ଛ ସର୍ଭେକ୍ଷଣ ପୁରସ୍କାର ୨୦୨୫-୨୬ ହେଉଛି ସ୍ୱଚ୍ଛ ଭାରତ ମିଶନ୍-ସହରାଞ୍ଚଳ ଅଧୀନରେ ଆୟୋଜିତ ଦେଶବ୍ୟାପୀ ସହର ସ୍ୱଚ୍ଛତା ଓ ପରିମଳ ମୂଲ୍ୟାଙ୍କନର ଦଶମ ସଂସ୍କରଣ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ସ୍ୱଚ୍ଛତା କି ନୟୀ ପହେଲ୍ – ବଢ଼ାଏଁ ହାଥ୍, କରେଁ ସଫାଇ ସାଥ୍’। ନାଗରିକଙ୍କ ସହଭାଗିତା, ପ୍ରତିଷ୍ଠାନଗତ ଉତ୍ତରଦାୟିତ୍ୱ ଏବଂ ସହରଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ଜରିଆରେ ସହରାଞ୍ଚଳ ପରିମଳ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଏହାର ଲକ୍ଷ୍ୟ।





More Stories
ରାମ୍ପ୍ ଦର୍ଶନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ…..
ବାଲିଯାତ୍ରା ଉଦ୍ଘାଟନ କରିବେ ରାଷ୍ଟ୍ରପତି…..
୬ ଲେନ୍ ହେବ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ…..