Report Card Odisha

| Daily Odia News

ଘରେ ପହଞ୍ଚିବ ଇ-ଚାଲାଣ….

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଆଉ ଖସିପାରିବେନି ଚାଳକ । ରାସ୍ତାରେ ଟ୍ରାଫିକ୍ ପୋଲିସ ଥାଆନ୍ତୁ କି ନଥାଆନ୍ତୁ, ନିୟମ ଭାଙ୍ଗିଲେ ସିଧା ଘରେ ପହଞ୍ଚିବ ଇ-ଚାଲାଣ । ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ କାର୍ଯ୍ୟକାରୀ ହେବ ‘ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ’ ବା (IEMS)। ଡିସେମ୍ବର ୧ରୁ ଜାରିହେବ ଅଟୋମେଟିକ୍ ଇ-ଚାଲାଣ। ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଏବଂ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକୁ ରୋକିବା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି ରାଜପଥରେ ଅତ୍ୟାଧୁନିକ କ୍ୟାମେରା ଓ ବୈଷୟିକ ଜ୍ଞାନକୌଶଳ ସହାୟତାରେ ଚାରୋଟି ପ୍ରମୁଖ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଉପରେ କଡ଼ା ନଜର ରଖାଯିବ। ଦ୍ରୁତଗତିରେ ଗାଡ଼ି ଚଳାଇବା, ଦୁଇଚକିଆ ଯାନରେ ତିନି ଜଣ ବସି ଯାତ୍ରା କରିବା, ଚାଳକ କିମ୍ବା ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ନପିନ୍ଧିବା ଏବଂ ବିପରୀତ ଦିଗରେ ଗାଡ଼ି ଚଳାଇବା କ୍ଷେତ୍ରରେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ ଜାରିହେବ। ଦୈତାରୀ-ଚଣ୍ଡିଖୋଲ ରାଜପଥରେ ବିଭିନ୍ନ ବର୍ଗର ଯାନବାହନ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସର୍ବାଧିକ ବେଗ ସୀମା କଡ଼ାକଡ଼ି ଭାବେ ଲାଗୁ ରହିବ। ଏଥିରେ ଦୁଇଚକିଆ ଯାନ ପାଇଁ ଘଣ୍ଟା ପ୍ରତି ୬୦ କି.ମି, କାର୍ ଓ ଜିପ୍ ଭଳି ହାଲୁକା ମୋଟର ଯାନ (LMV) ପାଇଁ ଘଣ୍ଟା ପ୍ରତି ୧୦୦ କି.ମି ଏବଂ ଟ୍ରକ୍ ଓ ବସ୍ ଭଳି ଭାରୀ ଯାନ (HMV) ପାଇଁ ଘଣ୍ଟା ପ୍ରତି ୮୦ କି.ମି. ବେଗ ସୀମା ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ଇ-ଚାଲାଣରେ ନିୟମ ଉଲ୍ଲଂଘନର ସ୍ପଷ୍ଟ ଫଟୋ କିମ୍ବା ଭିଡିଓ ପ୍ରମାଣ ସହିତ ଗାଡ଼ିର ପଞ୍ଜୀକରଣ ନମ୍ବର, ତାରିଖ, ସମୟ, ଜିପିଏସ୍ ଲୋକେସନ୍ ଏବଂ ଗାଡ଼ିର ବେଗ ସମ୍ପର୍କିତ ତଥ୍ୟ ଉଲ୍ଲେଖ ରହିବ। ରାମେଶ୍ୱରରୁ ପାଣିକୋଇଲି (NH 16), ଭୁବନେଶ୍ୱରରୁ ପୁରୀ (NH 316), ପୁରୀରୁ କୋଣାର୍କ (NH 316 A), କୋଣାର୍କରୁ ପିପିଲି (SH 13), କଟକରୁ ପାରାଦୀପ (SH 12), ଗିରିଶୋଳାରୁ ରାମେଶ୍ୱର (NH 16), ପାଣିକୋଇଲିରୁ ଲକ୍ଷ୍ମଣନାଥ (NH 16), ବଲାଙ୍ଗୀରରୁ ତୁରେକେଲା (SH 42), ବ୍ରହ୍ମପୁରରୁ ତପ୍ତପାଣି (NH 326 ଓ SH 17), ବ୍ରହ୍ମପୁରରୁ ଭଞ୍ଜନଗର (NH 59 ଓ NH 157), ସମ୍ବଲପୁରରୁ ମଙ୍ଗୁଳି (NH 55), ବଡ଼ବିଲରୁ ପାଣିକୋଇଲି (NH 20) ଏବଂ ସମ୍ବଲପୁରରୁ ରାଉରକେଲା (SH 10) , ସୋହେଲାରୁ ନୂଆପଡ଼ା( SH 03)ରେ IEMS କାର୍ଯ୍ୟକ୍ଷମ ରହିଛି। ସମସ୍ତ ଯାନବାହନ ଚାଳକଙ୍କୁ ସଡ଼କ ସୁରକ୍ଷା ନିୟମ ମାନିବା, ହେଲମେଟ୍ ବ୍ୟବହାର କରିବା ଏବଂ ନିର୍ଦ୍ଧାରିତ ବେଗ ସୀମା ମଧ୍ୟରେ ଗାଡ଼ି ଚଳାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହ ଗାଡ଼ି ମାଲିକମାନେ ନିଜର ମୋବାଇଲ୍ ନମ୍ବର ଓ ଠିକଣା ପରିବହନ ବିଭାଗର ପୋର୍ଟାଲରେ ଅପଡେଟ୍ ରଖିବାକୁ ଏବଂ ଚାଲାଣ ପୈଠ କିମ୍ବା ଅଭିଯୋଗ ପାଇଁ କେବଳ ସରକାରୀ ଅଫିସିଆଲ୍ ଇ-ଚାଲାଣ ପୋର୍ଟାଲ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

Breaking News