ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି । ସୋମବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଥିଲା । ଏବେ ଏହା ବାତ୍ୟାରେ ପରିଣତ ହୋଇଛି । ବଙ୍ଗୋପସାଗରରୁ ମାଡ଼ି ଆସୁଛି ‘ୟସ୍’ । ୨୬ରେ ମାଡ଼ ହେବ ଉତ୍ତର ଓଡ଼ିଶା ଉପକୂଳରେ । ବୁଧବାର ପ୍ରାୟ ଅପରାହ୍ନରେ ଚାନ୍ଦିପୁର ପାଖାପାଖି ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗକୁ ମାଡ଼ିଯିବ । ସେତେବେଳକୁ ପବନ ବେଗ ଘଣ୍ଟା ପ୍ରତି ୧୫୫ କିମିରୁ ୧୬୫ କିମି ଛୁଇଁପାରେ । ପବନ ଝଟ୍କା ୧୮୫ କିମି ହୋଇପାରେ । ସୋମବାର ସକାଳେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଥିଲା । ଏବେ ଏହା ବାତ୍ୟାର ରୂପ ନେଇଛି । ଏହା ୨୬ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍ କରିବ ବୋଲି ଅନୁମାନ କରାଯାଉଛି । ୟସ୍ ପ୍ରକୋପରେ ସର୍ବାଧିକ ପ୍ରଭାବିତ ହେବ ଓଡ଼ିଶାର ୫ଟି ଜିଲ୍ଲା । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଭୀଷଣ ପବନ ମାଡ଼ ହେବ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଓ ବାତ୍ୟାର ସମ୍ଭାବ୍ୟ ଗତିପଥ ଚିତ୍ରରୁ ଏଭଳି ଆଶଙ୍କା କରାଯାଉଛି । ଆଇଏମ୍ଡି ଜାରି କରିଥିବା ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପ୍ରଭାବ ଆକଳନରୁ ଅନୁମାନ କରାଯାଉଛି, ବୁଧବାର (୨୬ ତାରିଖ) ସକାଳ ପ୍ରାୟ ସାଢ଼େ ୫ଟାବେଳେ ୟସ୍ ସମୁଦ୍ର ଭିତରେ ଭିତରକନିକାର ଉତ୍ତରରେ ପାଖାପାଖି ୭୦ କିମି ଦୂରରେ ଥିବ । ଅପରାହ୍ନ ସାଢ଼େ ୫ଟାବେଳେ ୟସ୍ ଅତି ଭୀଷଣ ବାତ୍ୟା ଅବସ୍ଥାରେ ମୟୂରଭଞ୍ଜା ରାସଗୋବିନ୍ଦପୁର ପାଖାପାଖି ରହିବା ଅନୁମାନ କରାଯାଉଛି । ସେତେବେଳକୁ ବି ଏହା ଅତି ଭୀଷଣ ବାତ୍ୟା ଅବସ୍ଥାରେ ଥିବ । ଯଦିଓ ପବନ ବେଗ ସାମାନ୍ୟ କମି ଘଣ୍ଟା ପ୍ରତି ୧୨୦ରୁ ୧୩୦ କିମି ବହୁଥିବ । ପବନ ଧକ୍କା ଘଣ୍ଟା ପ୍ରତି ୧୪୫ କିମି ହୋଇପାରେ । ଅନୁମାନ କରାଯାଉଛି, ବୁଧବାର ମଧ୍ୟାହ୍ନ କିମ୍ବା ଅପରାହ୍ନରେ ହିଁ ୟାସ୍ ଅତି ଭୀଷଣ ବାତ୍ୟା ଅବସ୍ଥାରେ ବାଲେଶ୍ୱରର ଚାନ୍ଦିପୁର ପାଖାପାଖି ସ୍ଥଳଭାଗରେ ମାଡ଼ ହୋଇପାରେ ।
ବାତ୍ୟା ବାଲେଶ୍ୱରରେ ମାଡ଼ ହେବା ପରେ ମୟୂରଭଞ୍ଜରେ ପଶିବ । ମୟୂରଭଞ୍ଜ ଦେଇ ଏହା ଝାଡ଼ଖଣ୍ଡର ଜାମସେଦପୁର ଏବଂ ରାଞ୍ଚି ଆଡ଼କୁ ଗତି କରିବା ସମ୍ଭାବନା ଅଛି ।
More Stories
ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍ ରନ୍…..
ଚାଷୀଙ୍କୁ ହଇରାଣ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ନବୀନଙ୍କ ଭିଡିଓ ବାର୍ତ୍ତାକୁ ସମାଲୋଚନା କଲା ବିଜେପି…..