ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ନେଇ ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକରେ ଜାମ୍ମୁକାଶ୍ମୀରର ୭ଟି ଦଳର ୧୪ ନେତା ଉପସ୍ଥିତ ରହିଥିଲେ । ପ୍ରାୟ ସାଢେ ୩ ଘଣ୍ଟା ଧରି ବୈଠକରେ ମାନସ ମନ୍ଥନ ପରେ କଣ ନିଷ୍କର୍ଷ ବାହାରୁଛି ତାହା ଉପରେ ଥିଲା ସମସ୍ତଙ୍କ ନଜର | ଦିଲ୍ଲୀ ଓ ଦିଲ୍ ମଧ୍ୟରେ ଦୂରତା କମାଇବାକୁ ଜାମ୍ମୁ-କାଶ୍ମୀର ନେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆବେଦନ କରିଛନ୍ତି । ଖାଲି ସେତିକି ନୁହେଁ, ଜାମ୍ମୁ-କାଶ୍ମୀର ନିର୍ବାଚନ ନେଇ ବୈଠକରେ ଆଲୋଚନା ମଧ୍ୟ କରିଛନ୍ତି | ଏହାସହ ଜାମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମର୍ଯ୍ୟାଦା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ସର୍ବଦଳୀୟ ବୈଠକ ପରେ ମେହବୁବା ମୁପ୍ତି ମଧ୍ୟନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ସୀମା ସମସ୍ୟା ନେଇ ପାକିସ୍ତାନ ସହ ଆଲୋଚନା କରାଯାଉ । ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ମଧ୍ୟ ଧାରା ୩୭୦ ଉଚ୍ଛେଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି । ମୁଫତି କହିଛନ୍ତି, ଜାମ୍ମୁ କାଶ୍ମୀରରେ ବିଧାନସଭା ଡକାଯାଇ ଧାରା ୩୭୦କୁ ଉଚ୍ଛେଦ କରିବାର ଥିଲା । ଏହାକୁ ବେଆଇନ ଭାବେ ହଟାଇବା କେନ୍ଦ୍ର ସରକାରଙ୍କ ହକ ନୁହେଁ । ଆମେ କାଶ୍ମୀରରେ ଧାରା ୩୭୦କୁ ପୁଣିଥରେ ଲାଗୁ କରିବାକୁ ଚାହୁଁଛୁ । ଜେଲରେ ବନ୍ଦୀ ଥିବା ଲୋକଙ୍କୁ ମଧ୍ୟ ମୁକ୍ତ କରାଯାଉ ବୋଲି କହିଛନ୍ତି ମେହେବୁବା । ବୈଠକ ପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି , ‘ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ କ୍ଷମତା ପୁଣିଥରେ ମିଳୁ । ସେଠାରେ ବିଧାନସଭା ନିର୍ବାଚନ ତୁରନ୍ତ କରାଯାଉ । ଏହା ସହିତ କାଶ୍ମୀର ପଣ୍ଡିତଙ୍କୁ ଫେରାଇ ଅଣାଯାଇ ପୁନର୍ବାସ ବ୍ୟବସ୍ଥା କରାଯାଉ ।’ ଧାରା ୩୭୦ ହଟିବା ପରେ ରାଜ୍ୟରେ ବହୁତ କ୍ଷତି ହେବା ସହିତ ଲୋକଙ୍କର ରୋଜଗାର ଯାଇଛି। ତେଣୁ କେନ୍ଦ୍ର ସରକାର ରାଜ୍ୟବାସୀଙ୍କୁ ରୋଜଗାରର ଗ୍ୟାରେଣ୍ଟି ଦେଉ ବୋଲି ମେହବୁବା ଦାବି କରିଛନ୍ତି। ପିଡିପି ନେତା ମୁଜଫର ହୁସେନ ବୈଠକରେ କହିଛନ୍ତି, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ନିଷ୍ପତ୍ତି କେବଳ ବିଧାନସଭା ହିଁ ନେଇପାରିବ । ସେହିପରି ୨୦୧୯ରେ ଯେଉଁମାନଙ୍କୁ ଗିରଫ କରାଯାଇଛି ସେମାନଙ୍କୁ ତୁରନ୍ତ ଛଡ଼ାଯାଉ ବୋଲି ସେ ଦାବି କରିଛନ୍ତି। ସେହିଭଳି ସର୍ବଦଳୀୟ ବୈଠକ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟୁଇଟ୍ ଯୋଗେ ନିଜର ପ୍ରତିକ୍ରୟା ରଖିଛନ୍ତି । ସେ କହିଛନ୍ତି, ଜାମ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯିବା ପ୍ରକ୍ରିୟା ଚାଲୁ ରହିଛି । ଜାମ୍ମୁ ଓ କାଶ୍ମୀରର ସମ୍ପୂର୍ଣ୍ଣ ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ । ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଓ ଅବାଧ ଶାନ୍ତିପୂର୍ଣ୍ଣ ନିର୍ବାଚନ ଆମର ଲକ୍ଷ୍ୟ । ସୀମା ନିର୍ଦ୍ଧାରଣ ହେଲେ ହିଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ସୁବିଧା ହେବ ବୋଲି କହିଛନ୍ତି ଅମିତ ଶାହ ।
More Stories
ବିକଟାଳ ଶବ୍ଦପୂର୍ଣ୍ଣ ବାଇକ୍ କୁ ଜବତ କରୁଛି ପୋଲିସ…..
ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ…..
‘ଗେମ୍ ଚେଞ୍ଜର’ ଓ ‘ପୁଷ୍ପା-୨’ ପ୍ରଯୋଜକଙ୍କ ଘରେ IT ରେଡ଼…..