ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମାତ୍ର ୪ ମାସ ମଧ୍ୟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ ନିଜ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ମାର୍ଚ୍ଚ ୧୦ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ତୀରଥ ସିଂହ | ୧୧୫ ଦିନ ଧରି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ହେଲେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ଏହାର ନିଷ୍ପତ୍ତି ଶନିବାର ବିଧାୟକଙ୍କ ବୈଠକରେ ନିଆଯିବ। ସୂତ୍ର ଅନୁଯାୟୀ, ଏଥର ବିଧାୟକଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ତୀରଥ ନିଜ ପଦରୁ ଇସ୍ତଫା ଦେବା ପୂର୍ବରୁ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖି ଇସ୍ତଫା ଦେବାକୁ ଚାହୁଁଥିବା କହିଥିଲେ। ଚିଠିରେ ଉଲ୍ଲେଖ କରିଥିଲେ ଯେ, ‘ଭାରତୀୟ ସମ୍ପିଧାନର ଧାରା ୧୬୪-ଏ ଆଧାରରେ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ବିଧାନସଭାର ସଦସ୍ୟ ହେବାର ଥିଲା । କିନ୍ତୁ ଧାରା ୧୫୧ ଆଧାରରେ ଯଦି କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଏକ ବର୍ଷରୁ କମ ସମୟ ଥାଏ ତେବେ ସେଠାରେ ଉପ-ନିର୍ବାଚନ ହୋଇପାରିବ ନାହିଁ । ତେଣୁ ଉତ୍ତରାଖଣ୍ଡରେ ସାମ୍ବିଧାନିକ ସଙ୍କଟ ନଦେଖାଯାଉ ସେଥିପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଛି’। ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ ଏବଂ ୨ ବରିଷ୍ଠ ବିଜେପି ନେତା ସତପାଲ ମହାରାଜ ଏବଂ ଧନ ସିଂହ ରାଓ୍ବତଙ୍କୁ ଦିଲ୍ଲୀ ଡକାଯାଇଛି । କିଛି ଦିନ ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ ଦିଲ୍ଲୀ ଆସିଥିଲେ । ସେବେଠାରୁ ଉତ୍ତରାଖଣ୍ଡରେ କିଛି ବଡ ଧରଣର ଅଦଳବଦଳ ହୋଇପାରେ ବୋଲି ଶୁଣିବାକୁ ମିଳୁଥିଲା ।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..