ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନର ପ୍ରତିବାଦକାରୀ ଓ ସାମ୍ବାଦିକମାନଙ୍କ ଉପରେ ତାଲିବାନ୍ ଚଳାଇଥିବା ଦମନ ଅଭିଯାନକୁ ଜାତିସଂଘ ଉଦ୍ବେଗ ପ୍ରକାଶ କରିବା ସହ ନିନ୍ଦା କରିଛି। ଶାନ୍ତିପୂର୍ଣ୍ଣ ଭାବେ ସମବେତ ହୋଇ ଅଧିକାର ସାବ୍ୟସ୍ତ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ବଳ ପ୍ରୟୋଗ ହ୍ରାସ କରିବା ସହ ନିର୍ବିଚାର ଭାବେ ଅଟକ ରଖାଯିବା ଅଭିଯାନ ବନ୍ଦ କରିବା ଲାଗି ଜାତିସଂଘ ତାଲିବାନ୍କୁ କହିଛି। ଶୁକ୍ରବାର ଦିନ ଜାରି କରିଥିବା ବିବୃତିରେ ‘ୟୁଏନ୍ ହାଇ କମିସନର୍ ଫର୍ ହ୍ୟୁମାନ୍ ରାଇଟ୍ସ୍’ଙ୍କ ମୁଖପାତ୍ରୀ ରବିନା ସାମଦସନି କହିଛନ୍ତି, ଗତ ଚାରି ସପ୍ତାହ ହେବ ଆଫଗାନିସ୍ତାନର କେତେକ ପ୍ରଦେଶରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଚଳାଇଥିବା ବ୍ୟକ୍ତିମାନେ ତାଲିବାନ୍ର ଆଗ୍ନେୟାସ୍ତ୍ର, ବେଟନ୍ ଏବଂ ଚାବୁକ ପ୍ରହାର ପ୍ରୟୋଗ ସମେତ ଅନେକ ଅତ୍ୟାଚାରର ସମ୍ମୁଖୀନ ହୋଇ ଆସୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଘୋର ଅନିଶ୍ଚିତତା ସମୟରେ ଆଫଗାନ ନାରୀ ଓ ପୁରୁଷମାନେ ରାସ୍ତାକୁ ବାହାରି ଆସି, କାର୍ଯ୍ୟ କରିବା ପାଇଁ ନାରୀମାନଙ୍କ ଅଧିକାର, ଚଳପ୍ରଚଳ ସ୍ବାଧୀନତା, ଅଧ୍ୟୟନ ଏବଂ ରାଜନୀତିରେ ଅଂଶଗ୍ରହଣ ଆଦି ମାନବିକ ଦାବି ଉତ୍ଥାପନ କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ ଚଳାଇଛନ୍ତି। କ୍ଷମତାସୀନ ବ୍ୟକ୍ତିମାନେ ସେମାନଙ୍କ କଥା ଶୁଣିବା ଉଚିତ।ଅଣଅନୁମୋଦିତ ଜନସମାବେଶ ଉପରେ ତାଲିବାନ୍ର ନିଷେଧାଜ୍ଞା ଏବଂ କାବୁଲ୍ର ନିର୍ଦ୍ଦିଷ୍ଟ ଅଞ୍ଚଳମାନଙ୍କରୁ ଇଣ୍ଟର୍ନେଟ୍ କଟାଯିବା ଆଦି ପ୍ରସଙ୍ଗରେ ମଧ୍ୟ ଜାତିସଂଘ ଅବଗତ ହୋଇଛି। ଏ ସଂକ୍ରାନ୍ତରେ ରବିନା କହିଛନ୍ତି, ଅଗଷ୍ଟ ୧୫ରୁ ପ୍ରତିବାଦ ଚାଲିଆସୁଛି ଏବଂ ବୁଧବାର ସନ୍ଧ୍ୟାରେ ‘ବେଆଇନ ଜନସମାଗମ ନିଷେଧାଜ୍ଞା’ ଜାରି ହେବା ପର୍ଯ୍ୟନ୍ତ ପ୍ରତିବାଦ ସଂଖ୍ୟା ବଢ଼ି ଚାଲିଥିଲା। ପ୍ରତିବାଦ ଉପରେ ରିପୋର୍ଟ କରୁଥିବା ସାମ୍ବାଦିକମାନଙ୍କୁ ମଧ୍ୟ ତାଲିବାନ୍ ନିର୍ଯାତନା ଦେଉଥିବା ସମ୍ବାଦ ପ୍ରସାରଣ ହେଉଛି।






More Stories
କେଦାରନାଥରେ ମୋବାଇଲ୍ ନିଷେଧ….
ସରକାରଙ୍କ ବଡ଼ ନିଷ୍ପତ୍ତି…..
ସିଭିଲ ସର୍ଭିସ କର୍ମଚାରୀ ସୁଶାସନ ଏବଂ ବିକାଶର ମେରୁଦଣ୍ଡ…..