ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
NEET ପରୀକ୍ଷା ଫଳ ଘୋଷଣା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ ଅନୁମତି ପ୍ରଦାନ କରିଛନ୍ତି । ଫଳରେ ଚଳିତ ସପ୍ତାହ ଶେଷ ସୁଦ୍ଧା ଡାକ୍ତରୀ ପ୍ରବେଶିକା ପରୀକ୍ଷା ୨୦୨୧ ପରୀକ୍ଷା ଫଳ ପ୍ରକାଶ ପାଇବା ଆଶା କରାଯାଉଛି । ଏଥସହିତ ଏହି ମାମଲାରେ ବମ୍ବେ ହାଇକୋର୍ଟଙ୍କ ରାୟକୁ ମାନ୍ୟବର ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି । ପରବର୍ତ୍ତୀ ସମୟରେ ଦୁଇଜଣ ଛାତ୍ରଙ୍କର ପୁନଃ ପରୀକ୍ଷା ମାମଲାର ବିଚାର କରାଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ସୁପ୍ରିମକୋର୍ଟର ଜଷ୍ଟିସ ଏଲ ନାଗେଶ୍ୱର ରାଓ, ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ବି ଆର ଗାଭାଇଙ୍କୁ ନେଇ ଗଠିତ ପୀଠ ଏହି ମାମଲାରେ ବମ୍ବେ ହାଇକୋର୍ଟ ରାୟ ବିରୋଧରେ ଏନଟିଏ ପକ୍ଷରୁ ଦାଏର ସ୍ୱତନ୍ତ୍ର ଲିଭ ପିଟିସନର ବିଚାର କରି ଏହି ରାୟ ଶୁଣାଇଛନ୍ତି । ବମ୍ବେ ହାଇକୋର୍ଟ ଅକ୍ଟୋବର ୨୦ ତାରିଖରେ ଦେଇଥିବା ତାଙ୍କ ରାୟରେ ମହାରାଷ୍ଟ୍ରର ୨ ଜଣ ଛାତ୍ରଙ୍କର ପୁନଃ ପରୀକ୍ଷା ପରିଚାଳନା କରିବାକୁ ଏନଟିଏକୁ କହିଥିଲେ । ଏହି ଦୁଇ ଛାତ୍ରଙ୍କର ପରୀକ୍ଷା କରାନଯିବା ପର୍ଯ୍ୟନ୍ତ ଏନଇଇଟି ୨୦୨୧ ପରୀକ୍ଷା ଫଳ ସ୍ଥଗିତ ରହିଥିଲା । ତେବେ ସୁପ୍ରିମକୋର୍ଟଙ୍କ ପୀଠ ପରୀକ୍ଷା ଫଳ ପ୍ରକାଶନ ପାଇଁ ଅନୁମତି ପ୍ରଦାନ କରିବା ସହିତ ଦୁଇ ଛାତ୍ରଙ୍କ ପରୀକ୍ଷା ପ୍ରସଙ୍ଗ ପରେ ବିଚାର କରିବାକୁ କହିଛନ୍ତି ।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..