Report Card Odisha

| Daily Odia News

ଦାନ୍ତେଓ୍ଵାଡ଼ାରେ ଏନ୍‌କାଉଣ୍ଟର୍‌, ୩ ମହିଳା ନକ୍ସଲ୍‌ ନିପାତ……

ରିପୋର୍ଟ କାର୍ଡ / ଛତିଶଗଡ଼

ଛତିଶଗଡ଼ର ଦାନ୍ତେଓ୍ଵାଡ଼ା ଜିଲ୍ଲାରେ ନିରାପତ୍ତା ବଳ ଏବଂ ନକ୍ସଲପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ଜଣ ମହିଳା ନକ୍ସଲ୍‌ଙ୍କର ମୃତ୍ୟୁ ଘଟିଛି | ଏନେଇ ରବିବାର ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ନିହତ ୩ ମହିଳାଙ୍କ ପାଇଁ ମିଳିତ ଭାବେ ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ‘ଡିଷ୍ଟ୍ରିକ୍ଟ୍‌ ରିଜର୍ଭ ଗାର୍ଡ’ (ଡିଆର୍‌ଜି) ଟିମ୍‌ ତଲାସ ଅଭିଯାନ ଚଳାଇଥିବା ସମୟରେ ସନ୍ଧ୍ୟା ପ୍ରାୟ ୬ ବେଳେ କାତେକଲ୍ୟାଣ ଥାନା ଅଞ୍ଚଳର ଆଦଓ୍ଵାଲ୍‌ ଏବଂ କୁଞ୍ଜେରା ଗାଁ ମଧ୍ୟସ୍ଥଳରେ ଥିବା ଜଙ୍ଗଲରେ ଉପରୋକ୍ତ ଗୁଳି ବିନିମୟ ଘଟିଥିବା କଥା ଦାନ୍ତେଓ୍ଵାଡ଼ା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଭିଷେକ ପଲ୍ଲବ ଗଣମାଧ୍ୟମକୁ କହିଛନ୍ତି। ଏନ୍‌କାଉଣ୍ଟର୍‌ ପରେ ଘଟଣାସ୍ଥଳରୁ ୩ଜଣ ମହିଳା କ୍ୟାଡର୍‌ଙ୍କ ଶବ ଉଦ୍ଧାର କରାଯାଇଛି। ନିହତ ନକ୍ସଲ୍‌ମାନେ ହେଲେ, ରାଜେ ମୁଚକୀ, ଗୀତା ମର୍‌କାମ୍‌ ଏବଂ ଜ୍ୟୋତି ଓରଫ୍‌ ଭୀମେ ନୁପ୍ପୋ। ସେମାନେ ମାଓବାଦୀଙ୍କ ‘କାଟେକଲ୍ୟାଣ ଏରିଆ କମିଟି’ରେ ସକ୍ରିୟ ସଭ୍ୟା ଥିଲେ ଏବଂ ପ୍ରତ୍ୟକଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା ବୋଲି ପଲ୍ଲବ ସୂଚନା ଦେଇଛନ୍ତି।
ସୁକମାର କୁକାନର ଥାନା ଅଧୀନ ଦୋଲେରାବାସିନୀ ରାଜେ ମୁଚକୀ ଥିଲେ କାତେକଲ୍ୟାଣ ଏରିଆ କମିଟି ସଦସ୍ୟ ତଥା ମିଲିଟାରି ଇଣ୍ଟେଲିଜେନ୍‌ସ୍‌ ମୁଖ୍ୟ। ସୁକମା ଅନ୍ତର୍ଗତ ଚିନ୍ତାଲନର୍‌ବାସିନୀ ଗୀତା ମର୍‌କାମ୍‌ ଥିଲେ କାତେକଲ୍ୟାଣ ଏରିଆ କମିଟି ସଦସ୍ୟ ତଥା ‘କେଏଏମ୍‌ ଏସ୍‌’ର ମୁଖ୍ୟ। ଅରନପୁର ଅଞ୍ଚଳର ରେଓ୍ଵାଲିବାସିନୀ ଜ୍ୟୋତି ନୁପ୍ପୋ ଥିଲେ କାତେକଲ୍ୟାଣ ଏରିଆ କମିଟିର ସଦସ୍ୟ ତଥା ‘ସିଏନ୍‌ଏମ୍‌’ର ମୁଖ୍ୟ। ଘଟଣାସ୍ଥଳରୁ ଗୋଟିଏ ୧୨ ବୋର୍‌ ବନ୍ଧୁକ, ଦୁଇଟି ଦେଶୀ ରିଭଲ୍‌ଭର୍‌, ଗୋଟିଏ ଏକନଳୀଆ ବନ୍ଧୁକ, ଦୁଇଟି ‘ଆଇଇଡି’, ତାର, ଔଷଧ, ମାଓବାଦୀ ସାହିତ୍ୟ ଏବଂ ଦୈନନ୍ଦିତ ବ୍ୟବହୃତ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି।

 

Breaking News